ନୂଆଦିଲ୍ଲୀ: ତିହାର୍ ଜେଲ୍ର ବାଥ୍ରୁମ୍ ବା ସ୍ନାନାଗାରରେ ପଡ଼ି ଅଚେତ ହୋଇଯିବାରୁ ଦିଲ୍ଲୀର ପୂର୍ବତନ ଶିକ୍ଷାମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗୁରୁବାର ଦିନ ଜାତୀୟ ରାଜଧାନୀସ୍ଥିତ ‘ଦୀନ୍ ଦୟାଲ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିବା କଥା ଆଜି ‘ଆମ୍ ଆଦ୍ମି ପାର୍ଟି’ କହିଛି।
ଅସୁସ୍ଥତା ଯୋଗୁଁ ଜୈନଙ୍କୁ ଡାକ୍ତରଖାନା ନେବାରେ ଏହା ହେଉଛି ଗତ ସପ୍ତାହକ ମଧ୍ୟରେ ଦ୍ବିତୀୟ ଘଟଣା। ତିହାର ଜେଲ୍ ‘ଡିଜି’ଙ୍କ କହିବା ଅନୁସାରେ, ଜେଲ୍ ପରିସରସ୍ଥିତ ସେଲ୍ ନମ୍ବର ୭ରେ ରଖାଯାଇଥିବା ସତ୍ୟେନ୍ଦ୍ର ଜୈନ୍ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୱାସ୍ରୁମ୍ ମଧ୍ୟରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ କେତେଗୁଡ଼ିଏ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତାଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯିବ।
ଦୁର୍ବଳ ଲାଗୁଛି ବୋଲି କହିବାରୁ ଜୈନ୍ଙ୍କ ତତ୍ତ୍ବାବଧାନରେ ରଖାଯାଇଥିଲା ବୋଲି ଆଉ ଜଣେ ଜେଲ୍ ଅଧିକାରୀ କହିଛନ୍ତି। ତାଙ୍କ ଶରୀରର ଅଭ୍ୟନ୍ତର ଅଙ୍ଗପ୍ରତ୍ୟଙ୍ଗ (ହୃତ୍ପିଣ୍ଡ, ଫୁସ୍ଫୁସ୍, ମସ୍ତିଷ୍କ) ଆଦି ସ୍ବାଭାବିକ ଥିବା ଜଣାପଡ଼ିଛି। କିନ୍ତୁ, ତାଙ୍କ ପିଠି, ବାମ ଗୋଡ଼ ଏବଂ କାନ୍ଧ ବିନ୍ଧୁଛି ବୋଲି ସେ କହୁଛନ୍ତି।
ସୋମବାର ଦିନ ଦିଲ୍ଲୀର ସଫ୍ଦରଗଞ୍ଜ ହସ୍ପିଟାଲ୍ରେ ଜୈନ୍ଙ୍କ ମେରୁଦଣ୍ଡ ସମସ୍ୟା ପରୀକ୍ଷା କରାଯାଇଥିଲା ବୋଲି ସେଠାକାର ଜଣେ ମୁଖପାତ୍ର କହିଛନ୍ତି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ଅତି ପତଳା ଓ ଦୁର୍ବଳ ଦିଶୁଥିବା ଜୈନ୍ଙ୍କର ଗୋଟାଏ ଫଟୋ ସେୟାର କରିଛିନ୍ତି। ଜୈନ୍ ଡାକ୍ତରଖାନା ଚେୟାର୍ରେ ବସିଥିବା ବେଳେ ୨ଜଣ ପୁଲିସ କର୍ମଚାରୀ ସେଠାରେ ଠିଆ ହୋଇଥିବା ସେ ଫଟୋରେ ଦିଶୁଛି।
ଗିରଫ ହେବା ପରଠାରୁ ଜୈନ୍ ପ୍ରାୟ ୩୫ କିଲୋ ଓଜନ ହରାଇଥିବା କଥା ‘ଆପ୍’ କହିଛି।