ସତ୍ୟେନ୍ଦ୍ର ଜୈନଙ୍କ ସଂପର୍କୀୟ ଓ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ କୋଟି କୋଟି ମୂଲ୍ୟର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ବଡ଼ ବଡ଼ ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କଡ଼ା କାର୍ଯ୍ୟାନୁଷ୍ଠାନ। ଗୋଟେ ଦିନରେ ଇଡି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ସଂପର୍କୀୟ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ସମ୍ପତ୍ତି ଜବତ କରାଯାଇଥିବା ଜଣାପଡ଼ିଛି।

ପ୍ରଥମ ମାମଲା ପାତ୍ର ଚୌଲ ଜମି ଘୋଟାଲା ସହ ଜଡିତ। ଏଥିରେ ଇଡି ୧୧କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିବା ବେଳେ ଏଥିମଧ୍ୟରୁ ୯କୋଟି ମୂଲ୍ୟର ସମ୍ପତ୍ତି ସଞ୍ଜୟ ରାଉତଙ୍କ ବନ୍ଧୁ ପ୍ରବୀଣ ରାଉତଙ୍କର ବୋଲି ଜଣାପଡ଼ିଛି। ଏଥି ସହିତ, ୨ କୋଟିର ସମ୍ପତ୍ତି ସଞ୍ଜୟ ରାଉତଙ୍କ ପତ୍ନୀଙ୍କର ବୋଲି କହିଛି ଇଡି। ଏଥିରେ ଅଲିବାଗରେ ଥିବା ପ୍ଲଟ ଏବଂ ଦାଦରରେ ଥିବା ଫ୍ଲାଟ ଅନ୍ତର୍ଭୁକ୍ତ।

ଦ୍ୱିତୀୟ ମାମଲା ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ପରିବାର ସହ ଜଡିତ ଥିବା ବେଳେ ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି। ଏହି ମାମଲା ଅର୍ଥ ହେରଫେର ସହିତ ଜଡିତ। ଇଡି ପକ୍ଷରୁ କୁହାଯାଇଛି ଯେ, ଜୈନଙ୍କ ପରିବାରର ସଦସ୍ୟମାନେ ଏପରି କିଛି କମ୍ପାନି ସହିତ ଜଡିତ ଥିଲେ, ଯେଉଁ କମ୍ପାନି ବିରୋଧରେ ଅର୍ଥ ହେରଫେର ମାମଲା ରହିଛି। ଅକିଞ୍ଚନ ଡେଭେଲପର୍ସ,ଇଣ୍ଡୋମେଟାଲ୍ ଇଂପ୍ଲେକ୍ସ, ପ୍ରୟାସ ଇନଫୋ ସଲ୍ୟୁସନ୍ସ,ମଙ୍ଗଲାୟତନ ପ୍ରୋଜେକ୍ଟସ, ଜେଜେ ଆଇଡିଆଲ୍ ଇ‌ଷ୍ଟେଟସ୍ ଆଦି କମ୍ପାନିର ଅସ୍ଥାବର ସଂପତ୍ତି ଜବତ କରିଛି ଇଡି।

ସମ୍ବନ୍ଧିତ ଖବର