ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ଦିଲ୍ଲୀର ରସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ଏହି ମାମଲାର ଖୁବ୍ ଶୀଘ୍ର ଶୁଣାଣି ଶେଷ ହେବାର ସମ୍ଭାବନା ନାହିଁ। ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଏହି ରାୟ ପ୍ରକାଶ ପାଇବା ପରେ ତାଙ୍କ ପତ୍ନୀ କୋର୍ଟରେ କାନ୍ଦି ପକାଇଥିଲେ।

Advertisment

ଏ ସଂପର୍କରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଦୁଇ ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ଜାମିନ ମିଳିଛି। ତାଙ୍କ ଅପରାଧ କ'ଣ ଥିଲା? ତାଙ୍କ କ୍ଲିନିକ୍ ଉପରେ ଏକାଧିକ ଥର ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ କୌଣସି ଟଙ୍କା ମିଳିନଥିଲା। ତାଙ୍କର ଏକମାତ୍ର ଦୋଷ ଥିଲା ଯେ ସେ ମୋହଲ୍ଲା କ୍ଲିନିକ୍ ସ୍ଥାପନ କରିଥିଲେ ଏବଂ ସମସ୍ତ ଦିଲ୍ଲୀ ବାସିନ୍ଦାଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ । କ୍ଲିନିକ୍ ବନ୍ଦ କରିବା ଏବଂ ଗରିବଙ୍କ ମାଗଣା ଚିକିତ୍ସା ବନ୍ଦ କରିବା ପାଇଁ ମୋଦୀଜୀ ତାଙ୍କୁ ଜେଲରେ ରଖିଥିଲେ। କିନ୍ତୁ ଭଗବାନ ଆମ ସହିତ ଅଛନ୍ତି। ଆଜି ତାଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ସତ୍ୟେନ୍ଦ୍ରଙ୍କୁ ସ୍ୱାଗତ!"