ଶହେ କୋଟି ଡଲାରରେ ମୁକ୍ତ ହେଲେ ସାଉଦି ରାଜକୁମାର ମିତେବ

ରିୟାଦ: କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଗିରଫ ହୋଇଥିବା ୧୧ ରାଜକୁମାରଙ୍କ ମଧ୍ୟରୁ ଆଜି ଜଣେ ରାଜକୁମାର ମୁକ୍ତ ହୋଇଛନ୍ତି। ସାଉଦି ରାଜକୁମାର ମିତେବ ବିନ ଅବଦୁଲ୍ଲା ଆଜି ଶହେ କୋଟି ଡଲାର ଜୋରିମାନା ଦେଇ ମୁକ୍ତ ହୋଇଛନ୍ତି। କୋଟି କୋଟି ସାଉଦି ରିୟାଲ ଆତ୍ମସାତ୍‌ କରିଥିବା ଅଭିଯୋଗରେ ମିତେବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଗିରଫ କରାଯାଇଥିଲା। ମିତେବ ନିଜ କମ୍ପାନିକୁ କଣ୍ଟ୍ରାକ୍ଟ ଦେଇ ପାଖାପାଖି ହଜାରେ କୋଟି ଡଲାର ଆତ୍ମସାତ୍‌ କରିଥିବା ଜଣାଯାଇଛି। ସାଉଦିର ପୂର୍ବତନ ସ୍ୱର୍ଗତ ରାଜା ଅବଦୁଲ୍ଲାଙ୍କ ପୁଅ ମିତେବ ଇଲାଇଟ୍‌ ନ୍ୟାସନାଲ ଗାର୍ଡର ପୂର୍ବତନ ମୁଖ୍ୟ ଥିଲେ। ମିତେବଙ୍କ ବାଦ୍‌ ରିୟାଦ ପଞ୍ଚତାରକା ହୋଟେଲ୍‌ରେ ବନ୍ଦୀ ଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟ ୫ ଜଣ ମୁକୁଳିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ଦୁର୍ନୀତି ହଟାଅ ଅଭିଯାନରେ ୧୧ ସାଉଦି ରାଜକୁମାରଙ୍କ ସହ ବହୁ ବ୍ୟବସାୟୀ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର