ପାକିସ୍ତାନକୁ ଆଉ ଏକ ଧକ୍କା : କଶ୍ମୀର ପ୍ରସଙ୍ଗରେ ଆଇଓସି ବୈଠକ ପାଇଁ ରାଜି ହେଉନି ସାଉଦି ଆରବ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ନିଜର ମିତ୍ର ଦେଶମାନଙ୍କଠାରୁ ମଧ୍ୟ ସମର୍ଥନ ମିଳୁନାହିଁ । ଭାରତର ଚାପ ପରେ ମାଲେସିଆ ଏ ପ୍ରସଙ୍ଗରେ ନିରବ ରହିବା ପରେ ପାକିସ୍ତାନର ଶେଷ ଆଶା ଇସ୍ଲାମିକ ରାଷ୍ଟ୍ର ସଂଗଠନରୁ ଥିଲା । କିନ୍ତୁ ଏଠାରୁ ମଧ୍ୟ ପାକିସ୍ତାନ ନିରାଶ ହେବାକୁ ଯାଉଛି ।
ପାକିସ୍ତାନର ବହୁ ଉଦ୍ୟମ ପରେ ଇସ୍ଲାମିକ ରାଷ୍ଟ୍ର ସଂଗଠନ ( ଓଆଇସି) ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବାର ଥିଲା । ଏହି ବୈଠକ ପାଇଁ ଆସନ୍ତା ୯ ତାରିଖରେ ଜେଦାଠାରେ ଏକ ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । କିନ୍ତୁ କଶ୍ମୀର ପ୍ରସଙ୍ଗରେ ଆୟୋଜିତ ଏହି ସମ୍ମିଳନୀ ପାଇଁ ସାଉଦି ଆରବ ବିଶେଷ ଆଗ୍ରହ ଦେଖାଉନାହିଁ ବୋଲି ପାକିସ୍ତାନ ଅଭିଯୋଗ କରିଛି । ସାଉଦି ଆରବ ସରକାର ଏହି ବୈଠକ ପାଇଁ ପଛଘୁଞ୍ଚା ଦେଉଥିବା ପାକିସ୍ତାନ ଅଭିଯୋଗ କରିଛି । ଏ ସଂପର୍କରେ ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ’ରେ ଏକ ଖବର ପ୍ରକାଶିତ ହୋଇଛି ।
ସୂଚନାଯୋଗ୍ୟ ଯେ କଶ୍ମୀର ପ୍ରସଙ୍ଗରେ ଭାରତର କଡ଼ା ଆଭିମୁଖ୍ୟ ପରେ ମାଲେସିଆ ଏବେ ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛି । ସାଉଦି ଆରବ ଓ ଅନ୍ୟ ଆରବ ଦେଶ ସହ ଭାରତର ଭଲ ବାଣିଜ୍ୟିକ ଓ କୂଟନୈତିକ ସଂପର୍କ ଥିବାରୁ ଭାରତକୁ କ୍ଷୁବଧ କରିବାକୁ କୌଣସି ଦେଶ ଚାହୁଁନାହାନ୍ତି । ଆହୁରି ମଧ୍ୟ ସାଉଦିଆରବ ଆଇଓସିର ନେତା ହୋଇଥିବାରୁ ଏହି ଦେଶର ବିନା ଅନୁମତିରେ ବୈଠକ ହେବ ସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର