ନୂଆଦିଲ୍ଲୀ: ବ୍ୟାଙ୍ଗ୍କଗ୍ ବିମାନ ବନ୍ଦରରେ ଅଟକା ଯିବା ପରେ ସାଉଦି ଆରବର ଏକ ଧନୀ ପରିବାରରୁ ଜଣେ ୧୮ ବର୍ଷୀୟ ଝିଅ ଜୀବନ ବିକଳେ ଧାଇଁ ପଳାଇବାର ହତାଶ ଉଦ୍ୟମକୁ ରବିବାର ଦିନ ଟ୍ଵିଟର୍ରେ ସାରା ବିଶ୍ୱ ଦେଖିଛି। ଆରବ ବ୍ୟବସାୟୀ ମହମ୍ମଦ ମୋଲ୍ତାକ୍ ଆଲ୍କୁନୁନ୍ଙ୍କ ଝିଅ ରାହାଫ୍ ମହମ୍ମଦ୍ ଆଲ୍କୁନୁନ୍ କହନ୍ତି ଘରକୁ ଫେରିଲେ ତାଙ୍କୁ ହତ୍ୟା କରାଯିବ।
ପୂରା ଘଟନା କହିବାକୁ ଯାଇ ସେ କହିଛନ୍ତି ଯେ ଗୋଟାଏ ପାରିବାରିକ ଛୁଟିଦିନରେ ସେ ଗୋଟାଏ କାର୍ ଯୋଗେ କୁଏତ୍ର ମାହବୌଲା ଆସିଲେ। ଏକ ହୋଟେଲ୍ରେ ଥିବା ବେଳେ ରାତି ୪ଟାରେ ଦେଖିଲି ଘରଲୋକେ ସବୁ ଶୋଇଛନ୍ତି। ଏଇ ସୁଯୋଗରେ ମୁଁ ବ୍ୟାଙ୍ଗ୍କକ୍ ବାଟ ଦେଇ ଅଷ୍ଟ୍ରେଲିଆ ଯିବା ନିମନ୍ତେ ବିମାନ ଟିକିଟ୍ କିଣି ଗୋଟାଏ ଟ୍ୟାକ୍ସି ଡକାଇ ହୋଟେଲ୍ରୁ ପଳାଇ ଆସିଲି। ଅଷ୍ଟ୍ରେଲିଆ ଟୁରିଷ୍ଟ୍ ଭିସା ପାଇବା ସହଜ। ଅଷ୍ଟ୍ରେଲିଆରେ ପହଞ୍ଚି ଆନ୍ତର୍ଜାତିକ ସୁରକ୍ଷା ଲୋଡ଼ିବା ଥିଲା ମୋର ଲକ୍ଷ୍ୟ।
ମୋ ପରିବାର ଲୋକେ ନାନା ପ୍ରକାର ଗଞ୍ଜଣା ଦେଇଛନ୍ତି। ଚୁଟି କେରାଏ କାଟି ପକାଇଲି ବୋଲି ସେମାନେ ମୋତେ ୬ ମାସ ଘରେ ବନ୍ଦିନୀ କରି ରଖିଥିଲେ। ମୁଁ ନାସ୍ତିକ। ଖସି ଯିବା ଲାଗି ଏଇଟା ଥିଲା ମୋର ଏକ ମାତ୍ର ସୁଯୋଗ।
ଫୋନ୍ରେ ବହୁ ଓକିଲଙ୍କ ସହ କଥାବାର୍ତ୍ତା କରିଛନ୍ତି, କିନ୍ତୁ ଏତେ ସକାଳୁ କୁଆଡୁ ସାହାଯ୍ୟ ମିଳନ୍ତା ଭଲା।
ବିମାନ ଅବତରଣ କରିବା ପରେ କୁଏତ୍ ଏୟାର୍ ଲାଇନ୍ସ୍ ତାଙ୍କ ପାସ୍ପୋର୍ଟ ନେଇଯାଇଛନ୍ତି। ସୁବର୍ଣ୍ଣଭୂମି ବିମାନବନ୍ଦର ପରିସରସ୍ଥ ଟ୍ରାଞ୍ଜିଟ୍ ହୋଟେଲ୍ରେ ତାଙ୍କୁ ରଖାଯାଇଛି। ସୋମବାର ଦିନ ୧୧ଟାରେ ତାଙ୍କୁ କୁଏତ୍ ଏୟାର୍ଲାଇନ୍ସ୍ ବିମାନରେ କୁଏତ୍ ଫେରାଇ ନିଆଯିବ। ସେଠାରେ ତାଙ୍କ ପରିବାର ଲୋକେ ତାଙ୍କୁ ଅପେକ୍ଷା କରିଛନ୍ତି।
ଝିଅ ଜଣକ ଆହୁରି କହିଛନ୍ତି, ମୁଁ ୧୬ ବର୍ଷ ବୟସରେ ଇସ୍ଲାମ୍ ଧର୍ମ ଛାଡ଼ିଥିଲି। ଯଦି ମୋ ପରିବାର ଲୋକେ ଜାଣନ୍ତି ସେମାନେ ମୋତେ ହତ୍ୟା କରିବେ। ସତରେ ମୁଁ ବିପଦରେ ପଡ଼ିଛି... ସାଉଦି ଦୂତାବାସ ମୋତେ ସାଉଦି ଆରବ ଫେରି ଯିବାକୁ ବାଧ୍ୟ କରାଉଛି। ଥାଇଲାଣ୍ଡ ପୁଲିସ ବି ମତେ ସହାୟତା କରୁନି।