ସାଉଦି ଆରବରେ ଏକା ସାଙ୍ଗରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ

ଦୁବାଇ: ସାଉଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦିଆ ହୋଇଛି। ଏମାନେ ପିଲାଙ୍କ ଅପହରଣ ଓ ହତ୍ୟା, ଲୋକମାନଙ୍କୁ ନିର୍ଯାତନା, ମହିଳାଙ୍କୁ ଦୁଷ୍କର୍ମ, ଅସ୍ତ୍ରଶସ୍ତ୍ର ଚାଲାଣ, ଆତଙ୍କବାଦ ଭଳି ମାମଲାରେ ସାମିଲ ଥିଲେ।

ମୃତ୍ୟୁଦଣ୍ଡ ସାଉଦି ଆରବର ଲୋକଙ୍କ ବ୍ୟତୀତ ବିଦେଶୀ ନାଗରିକଙ୍କୁ ମଧ୍ୟ ଦିଆଯାଇଛି। ବିଦେଶୀ ନଗରିକଙ୍କ ମଧ୍ୟରୁ ୟେମେନର ଅଧିକ ଲୋକ ଅଛନ୍ତି। ୮୧ ଜଣଙ୍କ ମଧ୍ୟରୁ ୭୩ ଜଣ ସାଉଦି ଆରବ, ୭ ଜଣ ୟେମେନ ଓ ଜଣେ ସିରିୟାର ନାଗରିକ ଥିଲେ। ଅଦାଲତରେ ହାଜର ପରେ ଏହି ସବୁ ଅପରାଧୀଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ଏମାନେ ସରକାରୀ ଅଧିକାରୀଙ୍କୁ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏମାନଙ୍କ ମଧ୍ୟରୁ କିଛି ଅପରାଧୀ ପୁଲିସ ଷ୍ଟେସନରେ ଆକ୍ରମଣ କରିଥିଲେ।

ମିଡିଆ ରିପୋର୍ଟ ଅନୁସାରେ ଯେଉଁମାନଙ୍କୁ ଫାଶୀ ଦିଆଯାଇଛି ସେମାନେ ସାଉଦି ଆରବରେ ଆକ୍ରମଣ କରିବାର ଯୋଜନା କରୁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ୟେମେନର ନାଗରିକ ଥିଲା ଯିଏକି ଆଇଏସଆଇଏସ ପାଇଁ କାମ କରୁଥିଲା। କେତେକ ଅଲ୍-କଏଦା, ଇସ୍ଲାମିକ ଷ୍ଟେଟ୍ ଓ ହୁତି ବିଦ୍ରୋହୀଙ୍କ ସଙ୍ଗଠନ ସହ ଜଡିତ ଆତଙ୍କବାଦୀ ଥିଲେ। ସାଉଦି ସରକାର ଆତଙ୍କବାଦୀଙ୍କ ବିରୋଧରେ ଏପରି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଆନ୍ତି।
ଗଲ୍ଫ ଦେଶମାନଙ୍କ ମଧ୍ୟରେ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଉଥିବା ଲୋକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ୨୦୨୧ରେ ୬୭ ଓ ୨୦୨୦ରେ ୨୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୨୦୧୯ରେ ସାଉଦି ଆରବରେ ୩୭ ଓ ୨୦୧୬ରେ ୪୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧିତ ଖବର