ହଜ୍‌ଯାତ୍ରୀଙ୍କ ପାଇଁ କୋଭିଡ୍‌ ଟିକା ବାଧ୍ୟତାମୂଳକ କଲା ସାଉଦି ଆରବ

ରିୟାଦ୍‌: ଏବର୍ଷ ହଜ୍‌ ପାଇଁ ଆସୁଥିବା ବିଶ୍ୱର ସମସ୍ତ ଯାତ୍ରୀଙ୍କ ନିମନ୍ତେ ସାଉଦି ଆରବ କୋଭିଡ୍‌ ଟିକା ବାଧ୍ୟତାମୂଳକ କରିଛି।

ଏ ସଂକ୍ରାନ୍ତରେ ଜାରି ହୋଇଥିବା ଆଦେଶନାମାରେ ସାଉଦି ଆରବର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, କେବଳ କୋଭିଡ୍‌-୧୯ ଟିକା ନେଇଥିବା ଯାତ୍ରୀଙ୍କୁ ହିଁ ଏ ବର୍ଷ ହଜ୍‌ରେ ଯୋଗ ଦେବାକୁ ଅନୁମତି ମିଳିବ।

ସାଉଦି ଆରବର ସମ୍ବାଦପତ୍ର ‘ଓକାଜ୍‌’ ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଦେଶନାମାରେ କୁହାଯାଇଛି ଯେ, ହଜ୍‌ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍‌-୧୯ ଟିକା ବାଧ୍ୟତାମୂଳକ ଅଟେ। ହଜ୍‌ ପାଇଁ ଅନୁମତି ପତ୍ର ପାଇବା ସକାଶେ ଏହା ମୁଖ୍ୟ ସର୍ତ୍ତାବଳୀରୁ ଗୋଟିଏ ସର୍ତ୍ତ ଭାବେ ରହିବ। ଏ ସଂକ୍ରାନ୍ତରେ ପ୍ରକାଶିତ ଏକ ସର୍କ୍ୟୁଲାର୍‌ରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି।

Image Courtesy of Mint

ହଜ୍‌ ନିମନ୍ତେ ସମଗ୍ର ବିଶ୍ୱରୁ ଆସିଥିବା ନିୟୁତ ନିୟୁତ ଯାତ୍ରୀଙ୍କ ସମାଗମ ହେଉଥିବାରୁ ମକ୍କା ଓ ମଦିନା କରୋନାଭାଇରସ୍‌ ସଂକ୍ରମଣର ଏକ ପ୍ରମୁଖ ସ୍ଥଳୀ ହୋଇପାରେ। ଅତୀତରେ ମଧ୍ୟ ସ୍ୱାଶପ୍ରଶ୍ୱାସ ଓ ଅନ୍ୟାନ୍ୟ ରୋଗ ଥିବା ହଜ୍‌ ଯାତ୍ରୀଙ୍କୁ ସାଉଦି ଆରବ ଫେରାଇ ଦେଇଛି।

ସେହି ସର୍କ୍ୟୁଲାର୍‌ରୁ ଉଦ୍ଧୃତି କରି ‘ଅଲ୍‌ ଜଜୀରା’ ଖବରକାଗଜ ରିପୋର୍ଟ କରିଛି, ସାଉଦୀ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ତଫିକ୍‌ ଅଲ୍‌-ରବିୟା କହିଛନ୍ତି, ମକ୍କା ଓ ମଦିନାରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ନିମନ୍ତେ ଆବଶ୍ୟକ ଲୋକବଳ ନିମନ୍ତେ ସରକାର ପ୍ରସ୍ତୁତ ରହିବା ଉଚିତ।

ସମ୍ବନ୍ଧିତ ଖବର