ନୂଆଦିଲ୍ଲୀ: ବୁଧବାର ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ ସ୍ବପ୍ନ ଦେଖୁଛି। କାରଣ ଚୁକ୍ତିନାମାରେ କୁହାଯାଇଛି ଯେ, ଉଭୟ ଦେଶ ମଧ୍ୟରୁ ଜଣକ ଉପରେ କୌଣସି ଆକ୍ରମଣ ଉଭୟ ଦେଶ ବିରୋଧରେ ଆକ୍ରମଣ ବୋଲି ବିବେଚନା କରାଯିବ। ନାଟୋ ଷ୍ଟାଇଲ୍ ପ୍ରତିରକ୍ଷା ଚୁକ୍ତିରେ ‘ଜଣଙ୍କ ଉପରେ ଆକ୍ରମଣ ଉଭୟଙ୍କ ଉପରେ ଆକ୍ରମଣ’ ଶବ୍ଦକୁ ଇସଲାମାବାଦରେ ଏକ ପ୍ରମୁଖ କୂଟନୈତିକ ବିଜୟ ଭାବରେ ଦେଖାଯାଉଛି। ଏହା ସମ୍ଭବତଃ ଏହି ଚୁକ୍ତିକୁ ଭାରତ ବିରୋଧରେ ଏକ ରଣନୈତିକ ପ୍ରତିରୋଧ ଭାବରେ ଦେଖିପାରେ। ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଦଶନ୍ଧି ଧରି ଏକ ଅନୌପଚାରିକ ପ୍ରତିରକ୍ଷା ସମ୍ପର୍କ ରହିଥିବା ବେଳେ ସଦ୍ୟତମ ଚୁକ୍ତି ଇସ୍‌ଲାମିକ ଦେଶଗୁଡ଼ିକ ମଧ୍ୟରେ ସୁରକ୍ଷା ସହଯୋଗକୁ ଆନୁଷ୍ଠାନିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

Advertisment

ଭାରତ ପାଇଁ ଏହି ଚୁକ୍ତିର ଅର୍ଥ କ’ଣ?
ତେବେ ବିଶେଷଜ୍ଞ ଓ ଭୂ-ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ, ଏହି ଚୁକ୍ତିର ଅର୍ଥ ନୁହେଁ ଯେ ସାଉଦି ଆରବ ପାକିସ୍ତାନ ପାଇଁ ଭାରତ ସହ ଯୁଦ୍ଧ କରିବ। ତୃଣମୂଳ ସ୍ତରରେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଘୋଷଣାର ସମୟ ମଧ୍ୟ ଭିନ୍ନ। ଏହି ଚୁକ୍ତି ନିର୍ଦ୍ଦିଷ୍ଟ ଦେଶ କିମ୍ବା ନିର୍ଦ୍ଦିଷ୍ଟ ଘଟଣାର ପ୍ରତିକ୍ରିୟା ନୁହେଁ। ଭାରତ ସହିତ ସାଉଦି ଆରବର ସମ୍ପର୍କ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି। ଏହି ସମ୍ପର୍କକୁ ବଢାଇବା ପାଇଁ ଉଭୟ ଦେଶ ପ୍ରୟାସ ଜାରି ରଖିବେ। ‘ଆମେ ଆଞ୍ଚଳିକ ଶାନ୍ତି ପାଇଁ ଯେକୌଣସି ଉପାୟରେ ସହଯୋଗ କରିବାକୁ ଚେଷ୍ଟା କରିବୁ’ ବୋଲି ସାଉଦି ଆରବର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସାଉଦି ଆରବ ଭାରତର ଚତୁର୍ଥ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ହୋଇଥିବା ବେଳେ ରିୟାଦ ପାଇଁ ନୂଆଦିଲ୍ଲୀ ଦ୍ୱିତୀୟ ବୃହତ୍ତମ। ୨୦୨୪-୨୫ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ ୪୧.୮୮ ବିଲିୟନ ଆମେରିକୀୟ ଡଲାର ଥିଲା। ଉଭୟ ଦେଶ ମଧ୍ୟରେ ଗଭୀର ଅର୍ଥନୈତିକ ଓ ସାମାଜିକ-ସାଂସ୍କୃତିକ ସମ୍ପର୍କ ରହିଛି। ଅନ୍ୟପକ୍ଷରେ, ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ବାଣିଜ୍ୟ ମାତ୍ର ୩-୪ ବିଲିୟନ ଡଲାରର। ତେଣୁ ସାଉଦି ଆରବ ଭାରତ ବିରୋଧରେ ଯିବା ସମ୍ଭାବନା କମ୍। ଜଣେ ଭୂ-ରାଜନୈତିକ ରଣନୀତିଜ୍ଞ ଭେଲିନା ଚାକାରୋଭା କହିଛନ୍ତି ଯେ, ଏହା ଦୁଇ ଦକ୍ଷିଣ ଏସୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଦେଶର ସନ୍ତୁଳନ କାର୍ଯ୍ୟକୁ ସୂଚିତ କରେ। 

ଇସ୍ରାଏଲକୁ ସଙ୍କେତ?
ବାସ୍ତବରେ, ଚୁକ୍ତିନାମାର ସମୟ ଇସ୍ରାଏଲ ପାଇଁ ଏକ ସଙ୍କେତ ପରି ମନେ ହୁଏ, ଯାହା କତର ଉପରେ ଆକ୍ରମଣ କରିବାର କିଛି ଦିନ ପରେ ଆସିଛି। ଇରାନ, ଲେବାନନ, ସିରିଆ, ୟେମେନ ଓ ବର୍ତ୍ତମାନ କତରରେ ଇସ୍ରାଏଲର ଅଭିଯାନ ବୃଦ୍ଧି ପାଇବା ସହିତ ଏହା ଆରବ ଦେଶମାନଙ୍କ ମଧ୍ୟରେ ବିପଦ ଘଣ୍ଟି ବଜାଇଥିଲା। ଅଧିକନ୍ତୁ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏକମାତ୍ର ଆଣବିକ ସଶସ୍ତ୍ର ଦେଶ ବୋଲି ଗଲ୍ଫ ଦେଶମାନେ ଜାଣିଛନ୍ତି। ତେଣୁ, ସାଉଦି-ପାକିସ୍ତାନ ଏକତା ଇସ୍ରାଏଲ ପାଇଁ ଏକ ବାର୍ତ୍ତା। ସାଉଦି-ପାକିସ୍ତାନ ପ୍ରତିରକ୍ଷା ଚୁକ୍ତି କାଗଜପତ୍ରରେ ପାରସ୍ପରିକ, କିନ୍ତୁ ବାସ୍ତବରେ ତାହା ନୁହେଁ। ଯଦି ପାକିସ୍ତାନ ଉପରେ ଆକ୍ରମଣ ହୁଏ ତେବେ ରିୟାଦ ଏହାର ଭାରତ ସମ୍ପର୍କକୁ ବିପଦରେ ପକାଇବ ନାହିଁ। କିନ୍ତୁ ଯଦି ଇସ୍ରାଏଲ କେବେ ସାଉଦି ଉପରେ ଆକ୍ରମଣ କରେ, ତେବେ ପାକିସ୍ତାନ ଧର୍ମ, ରାଜନୀତି ଓ ଚୁକ୍ତି ପାଇଁ ପଦକ୍ଷେପ ନେବ ବୋଲି ସ୍ପେନରେ ଅବସ୍ଥିତ ଆସୋସିଏଟ୍ ପ୍ରଫେସର ତଥା ବିଶ୍ଳେଷକ ଡ. ବିଲାଲ ଅଫଜଲ ଟ୍ୱିଟ୍ କରିଛନ୍ତି।

ଜାତୀୟ ସ୍ବାର୍ଥ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ: ବିଦେଶ ମନ୍ତ୍ରାଳୟ
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ଦ୍ୱାରା ଏକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହେବା ଉପରେ ପ୍ରତିକ୍ରିୟା ରଖି ବିଦେଶ ମନ୍ତ୍ରାଳୟ କହିଛି ଯେ ସରକାର ଦେଶର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ସବୁ କ୍ଷେତ୍ରରେ ବ୍ୟାପକ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେବେ।  ବିଦେଶ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଏସଂକ୍ରାନ୍ତରେ ଟିପ୍ପଣୀ ଦେଇ କହିଛନ୍ତି,  ଭାରତ ଅବଗତ ଥିଲା ଯେ ପାକିସ୍ତାନ ଏବଂ ସାଉଦି ଆରବ ଉଭୟ ପକ୍ଷ ମଧ୍ୟରେ ଦୀର୍ଘକାଳୀନ ବ୍ୟବସ୍ଥାକୁ ଆନୁଷ୍ଠାନିକ କରିବା ପାଇଁ ଏପରି ଏକ ଚୁକ୍ତିକୁ ନେଇ ବିଚାରବିମର୍ଶ କରୁଥିଲେ।  ଉଲ୍ଲେଖଯୋଗ୍ୟ,  ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା’ରେ ସ୍ୱାକ୍ଷର କରିଛନ୍ତି, ଏବଂ ଉଭୟ ପକ୍ଷ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି- ଚୁକ୍ତିନାମା ଅନୁଯାୟୀ ‘ଦୁଇ ଦେଶ ବିରୋଧରେ ଯେକୌଣସି ଆକ୍ରମଣକୁ ଉଭୟ ଦେଶ ବିରୋଧରେ ଏକ ଆକ୍ରମଣ ବୋଲି ବିବେଚନା କରାଯିବ’।