ନଭେମ୍ବରରେ ଭାରତ ଗସ୍ତରେ ଆସିବେ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ

ନୂଆଦିଲ୍ଲୀ: ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନ ନଭେମ୍ବରରେ ନୂଆଦିଲ୍ଲୀ ଗସ୍ତ ରେ ଆସିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ମହମ୍ମଦ ବିନ୍ ସଲମାନଙ୍କ ଭାରତ ଗସ୍ତ କରୁଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଗତ ସେପ୍ଟେମ୍ବରରେ ସାଉଦି ଯୁବରାଜଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ପତ୍ର ପଠାଇଥିବା କୁହାଯାଉଛି ।

ତୈଳ ଉତ୍ପାଦନ ହ୍ରାସ କରିବାକୁ ଓପେକ୍ ନିଷ୍ପତ୍ତି ନେଇଥିବାବେଳେ ସାଉଦିର ଶକ୍ତି ମନ୍ତ୍ରୀ ଅବଦୁଲଅଜିଜ୍ ବିନ୍ ସଲମାନ ଗତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ ।

ମୋଦୀ ଓ ସାଉଦି ଯୁବରାଜଙ୍କ ମଧ୍ୟରେ ହେବାକୁ ଥିବା ବୈଠକର ଏଜେଣ୍ଡା ଜଣାପଡ଼ିନାହିଁ । ତେବେ ତୈଳ ଓ ଅନ୍ୟ ବାଣିଜ୍ୟ କାରବାର ପାଇଁ ଟଙ୍କା-ରୁବେଲର ବ୍ୟବହାର, ସାଉଦି ଆରବରେ ରୁପେ ଓ ୟୁପିଆଇର ପ୍ରଚଳନ ଆଦି ସଂପର୍କରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିପାରନ୍ତି । ସାଉଦି ଯୁବରାଜଙ୍କ ଭାରତ ଗସ୍ତ ସମୟରେ ଏ ନେଇ କେତେକ ଘୋଷଣା କରାଯାଇପାରେ ।

ଗତ ସେପ୍ଟେମ୍ବର ମାସରେ ଭାରତର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ରିଆଦ ଗସ୍ତ କରିଥିଲେ । ଏହି ସମୟରେ ବି ଟଙ୍କା-ରୁବେଲର ବ୍ୟବହାର ଓ ୟୁପିଆଇ-ରୁପେ ପ୍ରଚଳନ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା ।

ଭାରତ-ସାଉଦି ଆରବ ମଧ୍ୟରେ ଥିବା ଅର୍ଥନୀତି ଏବଂ ନିବେଶ ପରିଷଦର ବୈଠକରେ  ଗୋୟଲ ଏବଂ ସାଉଦି ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ ବିନ୍ ସଲମାନ ଅଲ-ସାଉଦ ଯୋଗ ଦେଇଥିଲେ ।

 

 

ସମ୍ବନ୍ଧିତ ଖବର