ରିୟାଦ: ସାଉଦି ଆରବରେ ହଜ୍ ସମୟରେ ବହୁ ସଂଖ୍ୟାରେ ହଜ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅତ୍ୟଧିକ ଉତ୍ତାପ ଯୋଗୁଁ ୧୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ସରକାରୀ ସଂଖ୍ୟା ୫୦୦ରେ ପହଞ୍ଚିଛି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ହଜ୍ରୁ ଫେରିଥିବା ତୀର୍ଥଯାତ୍ରୀ ସେମାନଙ୍କ ଅଭିଜ୍ଞତା ପ୍ରକାଶ କରିଛନ୍ତି ଯେ ହଜ୍ ତୀର୍ଥଯାତ୍ରୀଙ୍କୁ ଅତ୍ୟଧିକ ଉତ୍ତାପର ପ୍ରଭାବରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ଔଷଧ କିମ୍ବା ମୌଳିକ ସୁବିଧା ସାଉଦିରେ ନାହିଁ।
ସେମାନେ କହିଛନ୍ତି ଯେ ଧଳା କଫନରେ ଆଚ୍ଛାଦିତ ମୃତଦେହ ରହିଥିବା ସ୍ଥାନ ମଧ୍ୟରେ ତୀର୍ଥଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ଏହା ଏକ ସାଧାରଣ କଥା ପାଲଟିଛି। ଚଳିତ ବର୍ଷ ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ତୀର୍ଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହାରାହାରିଠାରୁ ଏଠାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଉଛି।
ମୃତ୍ୟୁର ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କାରଣ ପ୍ରତ୍ୟେକ ଦେଶ ନିଜ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ପ୍ରକାଶ କରୁଛନ୍ତି। ଏହି ସଂଖ୍ୟା ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ସରକାର କେବଳ ସେହି ତୀର୍ଥଯାତ୍ରୀଙ୍କ ବିଷୟରେ ଜାଣିଛନ୍ତି ଯେଉଁମାନେ ଦେଶର କୋଟା ଅଧୀନରେ ଅନୁମତି ନେଇ ମକ୍କା ଯାଇଥିଲେ।
ବିନା ଅନୁମତିରେ ମକ୍କା ଯାଇଥିବା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଧିକ। ହଜ୍ ଯାତ୍ରା ସମୟରେ ପର୍ଯ୍ୟାପ୍ତ ଜଳ, ଛାଇ କିମ୍ବା ଚିକିତ୍ସା ସହାୟତା ସାଉଦି କର୍ତ୍ତୃପକ୍ଷ ଯୋଗାଇ ଦେଇନାହାନ୍ତି ବୋଲି ଫେରିଥିବା ହଜ୍ ଯାତ୍ରୀ ପ୍ରକାଶ କରିଛନ୍ତି।
ପ୍ରଶାସନ କେବଳ ଖରାପ ଘଟଣାକୁ ଅପେକ୍ଷା କରିଛନ୍ତି ଏବଂ ତା’ପରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବହୁ ହଜ୍ ଯାତ୍ରୀ କହିଛନ୍ତି ସେମାନେ ଏଭଳି ସ୍ଥିତିରେ, ହଜ୍ ଉପରେ ଧ୍ୟାନ ଦେଇ ପାରି ନାହାନ୍ତି। ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ଗରମ ଯୋଗୁ ମୃତ୍ୟୁବରଣ କରୁଛନ୍ତି।
ଘରକୁ ଫେରିବା ବାଟରେ ଅନେକ ମୃତଦେହ ଦେଖିଥିବା ହଜ୍ ଯାତ୍ରୀ କହିଛନ୍ତି। ପ୍ରାୟ ପ୍ରତି ଶହେ ମିଟରରେ ଏକ ଧଳା କପଡ଼ାରେ ଆଚ୍ଛାଦିତ ଏକ ମୃତ ଶରୀର ଦୃଶ୍ୟମାନ ହେଉଥିବା ସେମାନେ କହିଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଗୋଟିଏ ବି ଆମ୍ବୁଲାନ୍ସ ସେଠାରେ ନ ଥିବା ଯାତ୍ରୀ ଅଭିଯୋଗ କରିଛନ୍ତି। ହଜ୍ ଯାତ୍ରୀଙ୍କ ଅଭିଯୋଗ ସାଉଦି ସ୍ବାସ୍ଥ୍ୟସେବାର ପର୍ଦ୍ଦାଫାଶ୍ କରିଛି।
ତୀର୍ଥଯାତ୍ରୀମାନେ ଚଳିତ ବର୍ଷର ତୀର୍ଥଯାତ୍ରାର ଖରାପ ଭିତ୍ତିଭୂମି ତଥା ସାଂଗଠନିକ ବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବିଶେଷକରି ଲାଇସେନ୍ସପ୍ରାପ୍ତ ଟୁର୍ ଗ୍ରୁପ୍ ବାହାରେ ସ୍ବାଧୀନ ଭାବରେ ଯାତ୍ରା କରୁଥିବା ଲୋକ ସମସ୍ୟା ଅଧିକ ରହିଥିବା ସେମାନେ ଅଭିଯୋଗ କରିଛନ୍ତି।