ସାଉଦି ବୈଦେଶିକ ମନ୍ତ୍ରୀଙ୍କ ସ୍ବୀକାର, ଖସୋଗିଙ୍କ ହତ୍ୟା ଏକ ଭୟାନକ ଭୁଲ

ୱାସିଂଟନ୍‌: ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟା ଏକ ଭୟାନକ ଭୁଲ। ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ଘଟଣାର ମୂଳକୁ ଯାଇ ତଦନ୍ତ କରୁଛୁ। ଖୁବ୍‌ଶୀଘ୍ର ସତ୍ୟ ସାମ୍ନାକୁ ଆସିବ। ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଆଦେଲ୍‌ ଅଲ୍‌-ଜୁବେର୍‌ ରବିବାର ଏହା କହିଛନ୍ତି। ତାଙ୍କ କହିବାନୁଯାୟୀ ସାଉଦିର ଇସ୍ତାନବୁଲ୍‌ସ୍ଥିତ ଦୂତାବାସରେ ହିଁ ଖସୋଗିଙ୍କୁ ହତ୍ୟା କରାଯାଇଛି। କିନ୍ତୁ ଖସୋଗିଙ୍କ ମୃତଦେହ କେଉଁଠି ଅଛି, ସେ ନେଇ କାହାକୁ ଜଣା ନାହିଁ। ଖସୋଗି ‌ଦୂତାବାସରେ ପ୍ରବେଶ କରିବା ପରେ ସାଉଦିର ନିରାପତ୍ତା ଟିମ୍‌ ତାଙ୍କ ସହ ଯୋଗା‌େଯାଗ କରିଥିଲା। କିନ୍ତୁ ତା’ପରେ କ’ଣ ଘଟିଲା, ସେ ନେଇ ଠୋସ୍ ସୂଚନା ନାହିଁ। ଏଥିପାଇଁ ତଦନ୍ତ କରାଯାଉଛି। ତେବେ ଆମେ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରି ସେମାନଙ୍କୁ ଦଣ୍ଡିତ କରିବା ଲାଗି ବଦ୍ଧପରିକର। ଏକ ସାକ୍ଷାତକାରରେ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଖସୋଗିଙ୍କ ହତ୍ୟା ଏକ ଦୁଃଖଦ ଘଟଣା ଏବଂ ଏହା ଏକ ଭୟାନକ ଭୁଲ। ଆମେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ଉଲ୍ଲେଖଯୋଗ୍ୟ, ସାଉଦି ରାଜକୁମାର ବ୍ୟକ୍ତିଗତ ଭାବେ ଯୋଜନା କରି ଖସୋଗିଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର