ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ସେପ୍ଟେମ୍ବର ୧୭ ତାରିଖରେ ଏକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଉଭୟ ଦେଶ ଉପରେ ଆକ୍ରମଣ ଉଭୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ପାକିସ୍ତାନ ଏକ ପରମାଣୁ ସଂପନ୍ନ ଦେଶ ହୋଇଥିବାରୁ ଏବଂ ସାଉଦି ଆରବ ଏକ ଧନଶାଳୀ ଓ ପ୍ରଭାବଶାଳୀ ଦେଶ ଥିବାରୁ ଏହି ବୁଝାମଣାର ପ୍ରଭାବ ମଧ୍ୟପୂର୍ବ ଓ ଭାରତ ଉପରେ ପଡ଼ିବ । ତେବେ ଏଠାରେ ପ୍ରଶ୍ନ ଉଠେ ଭାରତ ପାଇଁ ଏକ ସତର୍କ ଘଣ୍ଟି କି ? କଣ ପରବର୍ତ୍ତି ଭାରତ ପାକିସ୍ତାନ ସଂଘର୍ଷରେ ସାଉଦି ଆରବ ପାକିସ୍ତାନ ସପକ୍ଷରେ ଲଢିବ ।
ବିଶେଷଜ୍ଞଙ୍କ ମତରେ ଏହି ଚୁକ୍ତି ଭାରତ ପାଇଁ ଏକ ଚିନ୍ତାର ବିଷୟ ହୋଇଥିଲେ ବି ସାଉଦି ଆରବ ପାକିସ୍ତାନ ସପକ୍ଷରେ ଓ ଭାରତ ବିପକ୍ଷରେ ଯୁଦ୍ଧ କରିବାର ଆଶଙ୍କା କମ । କାରଣ ସାଉଦି ଆରବ ସେନା ଅପେକ୍ଷାକୃତ ଛୋଟ ଓ ଏହା ମୁଖ୍ୟତଃ ପାକିସ୍ତାନ ଓ ଆଉ କେତେକ ଦେଶରୁ ଅଣାଯାଇଥିବା ଭଡ଼ାଟିଆ ସୈନ୍ୟଙ୍କୁ ନେଇ ଗଠିତ । ଏକ ଅଟକଳ ଅନୁସାରେ ପାକିସ୍ତାନର ପ୍ରାୟ ୧୫ ହଜାର ସୈନିକ ସଉଦି ଆରବରେ ଅଛନ୍ତି । ମୂଳ ସାଉଦି ନାଗରିକଙ୍କ ସଂଖ୍ୟା ସେଠାକାର ସେନାବାହିନୀରେ କମ । ଏଣୁ ସାଉଦି ଆରବ ଭାରତ ପରି ଶକ୍ତିଶାଳୀ ଦେଶ ବିରୋଧରେ ଲଢିବ ନାହିଁ । ପୁଣି ସାଉଦି ଆରବର ଭାରତରେ ବିପୁଳ ନିବେଶ ରହିଛି, ଏଣୁ ସାଉଦି ଭାରତ ବିରୋଧରେ ଯିବ ନାହିଁ ।
ତେବେ ଏହା ମଧ୍ୟ ସତ ଯେ ଭାରତ ସହ ପାକିସ୍ତାନର ଯୁଦ୍ଧ ବେଳେ ସାଉଦି ଆରବ ପାକିସ୍ତାନକୁ ଆର୍ଥିକ ସହାୟତା ଦେଇପାରେ। ସରଳ ଭାଷାରେ କହିଲେ ସାଉଦି ଆରବ ପାକିସ୍ତାନକୁ ଅର୍ଥ ଯୋଗାଇବ ଓ ପାକିସ୍ତାନ ସାଉଦି ଆରବ ପାଇଁ ସୈନ୍ୟ ଯୋଗାଇବ ଓ ଆବଶ୍ୟକ ପଡ଼ିଲେ ପରମାଣୁ ବୋମା ଯୋଗାଇବ ।
ପ୍ରକୃତକଥା ହେଉଛି କତର ଉପରେ ଇସ୍ରାଏଲର ଆକ୍ରମଣ ପରେ ସାଉଦି ଆରବ ଭୟଭୀତ ହୋଇପଡ଼ିଛି ଯେ ଦିନ ତା ଉପରେ ବି ଆକ୍ରମଣ ହେବ । ଏହା ସହିତ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଉପରେ ବି ଭରସା ତୁଟିଯାଇଛି। ଏଣୁ ପାକିସ୍ତାନ ପରି ଏକ ପରମାଣୁ ଶକ୍ତି ସଂପନ୍ନ ଦେଶ ସହ ସାମରିକ ଚୁକ୍ତି କରି ନିଜର ସୁରକ୍ଷାକୁ ସୁଦୃଢ କରିବାକୁ ଉଦ୍ୟମ କରୁଛି ସାଉଦି ଆରବ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ପାକିସ୍ତାନ କଣ ଇସ୍ରାଏଲକୁ ରୋକିପାରିବ ?