ୱାସିଂଟନ: ଗାଜାରେ ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ସ୍ଥିତିରେ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍ ଫୈଜଲ୍ ଯୁଦ୍ଧ ପାଇଁ ଉଭୟ ହମାସ୍ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ଫୈଜଲ କହିଛନ୍ତି ଏହି ଯୁଦ୍ଧରେ କେହି ନାୟକ ନାହାନ୍ତି, କେବଳ ପୀଡ଼ିତ ଅଛନ୍ତି। ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ଉଦ୍ବୋଧନ ଦେବାବେଳେ ଫୈଜଲ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ୭୮ ବର୍ଷୀୟ ଫୈଜଲଙ୍କ ଭାଷଣର ଭିଡିଓ ବହୁଳ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।
ଅଧିକୃତ ହୋଇ ରହିଥିବା ପାଲେଷ୍ଟାଇନର ସମସ୍ତ ଲୋକଙ୍କର ଏହାକୁ ବିରୋଧ କରିବା ଅଧିକାର ରହିଛି। ଏପରିକି ସାମରିକ ଭାବେ ମଧ୍ୟ ବିରୋଧ କରିପାରିବେ। କିନ୍ତୁ ପାଲେଷ୍ଟାଇନରେ ମୁଁ ସାମରିକ ବିକଳ୍ପକୁ ସମର୍ଥନ କରୁନାହିଁ। ମୁଁ ଅନ୍ୟ ବିକଳ୍ପକୁ ପସନ୍ଦ କରୁଛି। ତାହା ହେଉଛି ବେସାମରିକ ବିଦ୍ରୋହ ଏବଂ ଆଇନ ଅମାନ୍ୟ। ଏହି ପନ୍ଥାରେ ଭାରତରେ ବ୍ରିଟିସ୍ ସାମ୍ରାଜ୍ୟ ଏବଂ ପୂର୍ବ ୟୁରୋପରେ ସୋଭିଏତ ସାମ୍ରାଜ୍ୟର ପତନ ଘଟାଇଥିଲା ବୋଲି ସେ କହିଛନ୍ତି। ଇସ୍ରାଏଲର ସାମରିକ ଦକ୍ଷତାକୁ ସାରା ବିଶ୍ବ ଗାଜାରେ ଦେଖୁଛି। ଏଥିସହିତ ଗତ ୭ ତାରିଖରେ ହମାସ ଇସ୍ରାଏଲ ଉପରେ କରିଥିବା ଅତର୍କିତ ଆକ୍ରମଣକୁ ସେ ସମାଲୋଚନା କରିଛନ୍ତି। ସାଧାରଣ ଲୋକଙ୍କୁ ହମାସ ଆକ୍ରମଣ କରୁଥିବା ଅଭିଯୋଗ କରାଯାଉଛି। ହମାସ୍ ଯଦି ଏଭଳି କାର୍ଯ୍ୟ କରୁଥାଏ ତାହେଲେ ତାହାର ଇସଲାମୀୟ ପରିଚୟ ମିଛ ବୋଲି ଫୈଜଲ କହିଛନ୍ତି। ନିରୀହ ଶିଶୁ, ମହିଳା, ବୟସ୍କଙ୍କୁ ହତ୍ୟା କରିବା ଏବଂ ଉପାସନାସ୍ଥଳୀଗୁଡ଼ିକୁ ଅପବିତ୍ରୀକରଣ କରିବା ଉପରେ ଇସଲାମରେ କଟକଣା ରହିଛି ବୋଲି ସେ କହିଛନ୍ତି।