ଭାରତରେ ସାଉଦୀ କ୍ରାଉନ୍ ପ୍ରିନ୍ସ ସଲମାନ୍: ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବେ

ନୂଆଦିଲ୍ଲୀ: ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ଦୁଇ ଦିନିଆ ଭାରତ ଗସ୍ତ ପାଇଁ ଆଜି ରାତିରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍ ଭି କେ ସିଂହ ଉପସ୍ଥିତ ଥିଲେ ହେଁ ପ୍ରୋଟୋକଲକୁ ଆଡ଼ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ପାଲାମ ବିମାନ ବନ୍ଦରରେ ପହଞ୍ଚି ସଲମାନଙ୍କୁ ଚିରାଚରିତ ଆଲିଙ୍ଗନ ମୁଦ୍ରାରେ ପାଛୋଟି ଆଣିଛନ୍ତି। ସଲମାନଙ୍କ ସହିତ ସାଉଦୀ ମନ୍ତ୍ରିମଣ୍ଡଳ ଏବଂ ଉଚ୍ଚସ୍ତରୀୟ ବ୍ୟାବସାୟିକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି। ତେବେ ଆତଙ୍କବାଦକୁ କେନ୍ଦ୍ର କରି ଭାରତ ଓ ପାକିସ୍ତାନ ମଧ୍ୟରେ ବିଗିଡ଼ିଯାଇଥିବା ସମ୍ପର୍କ ସମ୍ପ୍ରତି ପୁଲଵାମା ଆକ୍ରମଣ ପରେ ତିକ୍ତତାର ଚରମ ସୀମାରେ ପହଞ୍ଚିଥିବା ବେଳେ ଏ ପରିପ୍ରେକ୍ଷୀରେ ସଲମାନଙ୍କ ଭାରତ ଗସ୍ତ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ସାଉଦି ଆରବର ଆଠଟି ପ୍ରମୁଖ ସାମରିକ ସହଯୋଗୀ ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ ହୋଇଥିବାରୁ ସଲମାନଙ୍କ ଭାରତ ଗସ୍ତ ସାମରିକ ସହଭାଗୀତା କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ଆହୁରି ନିବିଡ଼ କରିବ ବୋଲି ଆଶା କରାଯାଏ। ତେବେ ସଦ୍ୟ ସମାପ୍ତ ଇସଲାମାବାଦ ଗସ୍ତ କାଳରେ ସଲମାନଙ୍କୁ ପାକିସ୍ତାନ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବା ଏବଂ ସଲମାନ ମଧ୍ୟ ପାକିସ୍ତାନରେ ଅହେତୁକ ଭାବେ ହଜାରେ କୋଟି ଡଲାରର ତୈଳ ବିଶୋଧନାଗାର ନିର୍ମାଣ ଘୋଷଣା କରିବା ଆଦି ଆଭିମୁଖ୍ୟ ଭାରତ ପ୍ରତି ସମ୍ପର୍କକୁ କିଭଳି ପ୍ରଭାବିତ କରିବ ତାହା ସମୟ ହିଁ କହିବ।

ଅପରପକ୍ଷେ, ଇସଲାମାବାଦରେ ସଲମାନ ଜାରି କରିଥିବା ମିଳିତ ବିବୃତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ ହେଉଛି। କାରଣ ଏଥିରେ ସେ ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆଣିବା ପାଇଁ ଶପଥ କରିଛନ୍ତି ଏବଂ ଏଥି ପାଇଁ ଦ୍ବିପାକ୍ଷିକ ଆଲୋଚନା ଏକମାତ୍ର ପନ୍ଥା ବୋଲି କହିଛନ୍ତି। ମାତ୍ର ସାମ୍ପ୍ରତିକ ସ୍ଥିତିରେ ପାକିସ୍ତାନ ସହ ଆଉ କୌଣସି ପ୍ରକାର ଆଲୋଚନା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହି ସାରିଛନ୍ତି। ଅସ୍ତ୍ର ବିରତି ଉଲ୍ଲଂଘନ ଏବଂ ସୀମାପାର ଆତଙ୍କବାଦରୁ ପାକିସ୍ତାନ ନିବୃତ୍ତ ନହେଲା ଯାଏ କଥାବାର୍ତ୍ତା କଥା ଉଠାଇବା ବି ଆଦୌ ସମ୍ଭବ ନୁହେଁ। ସେହିପରି ଜାତିସଂଘ ଦ୍ବାରା ଘୋଷଣା ପ୍ରସଙ୍ଗର ରାଜନୀତିକରଣକୁ ମଧ୍ୟ ପାକ୍-ସାଉଦୀ ବାରଣ କରିବେ ବୋଲି ଏକମତ ହୋଇଛନ୍ତି। ତେବେ ଏ ପରିପ୍ରେକ୍ଷୀରେ ପୁଲଵାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଜୈସ-ଇ-ମହମ୍ମଦ ସଂଗଠନର ମୁଖ୍ୟ ମସୁଦ୍ ଆଝାରକୁ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ବିଭିନ୍ନ ସମୟରେ ଭାରତ କରି ଆସିଥିବା ଦାବି ପ୍ରତି ସଲମାନଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର