ଘରୁ ଖସି ଆସିଥିବା ସାଉଦୀ ଝିଅକୁ ‘ବ୍ରେଭ୍‌ କାନାଡିୟାନ୍‌’ କହି ଟରଣ୍ଟୋରେ ସ୍ୱାଗତ

ଟରଣ୍ଟୋ: ଏ ସପ୍ତାହରେ ହତ୍ୟା ଆଶଙ୍କାରେ ପରିବାର କବଳରୁ ଖସି ପଳାଇ ଆସିଥିବା ୧୮ ବର୍ଷୀୟ ସାଉଦୀ ଝିଅ ରାହଫ୍‌ ମହମ୍ମଦ୍‌ ଅଲ୍‌-କୁନୁନ୍‌ଙ୍କୁ କାନାଡାରେ ଶରଣ ମିଳିବା ପରେ ଶନିବାର ଦିନ ଟରଣ୍ଟୋ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ସାହସିନୀ ନବୀନା କାନଡୀୟ କହି ତାଙ୍କୁ ବୈଦେଶିକ ମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ୍‌ ସ୍ୱାଗତ କରିଛନ୍ତି।

ଶନିବାର ସକାଳେ ଲାଲ୍‌ ଅକ୍ଷରରେ କାନାଡା ଛାପା ଥିବା ହୁଡି, ତାଙ୍କୁ ଶରଣାର୍ଥୀ ମାନ୍ୟତା ଦେଇଥିବା ‘ୟୁଏନ୍‌ଏଚ୍‌ସିଆର୍‌’ର ଲୋଗୋ ଥିବା ନୀଳ ଟୋପି ପିନ୍ଧି ରାହଫ୍‌ ଟରଣ୍ଟୋର ପିୟର୍ସନ୍‌ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟରେ ପହଞ୍ଚିଥିଲେ।

ଟରଣ୍ଟୋକୁ ଯିବା ପୂର୍ବରୁ ଶେଷ ଟୁଇଟ୍‌ରେ କୁନୁନ୍‌ କହିଥିଲେ, ମୁଁ ଏହା ସମ୍ଭବ କରିପାରିଲି। ତା’ସହ ବିମାନ ଭିତରର ଫଟୋ ପଠାଇଥିଲେ।
ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିବା ଫ୍ରିଲାଣ୍ଡ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କୁନୁନ୍‌ ଖୁବ୍‌ ସାହସିନୀ ନବୀନା କାନଡୀୟ। ନୂତନ ଗୃହରେ ପହଞ୍ଚିଛନ୍ତି ବୋଲି ରାହାଫ୍‌ କାନଡୀୟମାନଙ୍କୁ ଦେଖାଇ ଦେବାକୁ ଚାହାଁନ୍ତି। କିନ୍ତୁ, ତାଙ୍କ ଦୀର୍ଘ ଯାତ୍ରାରେ ସେ କ୍ଳାନ୍ତ ହୋଇ ପଡ଼ିଥିବାରୁ ଆଜି କୌଣସି କଥା କହିବେ ନାହିଁ। ଏବେ ସେ ତାଙ୍କ ନୂତନ ଘରକୁ ଯାଉଛନ୍ତି।

ଇଣ୍ଟର୍‌ନେସ୍‌ନାଲ୍‌ ଆରାଇଭାଲ୍‌ ଏରିଆ ଆଡ଼କୁ ଯିବାବେଳେ ହସ ହସ ମୁହଁରେ କୁନୁନ୍‌ ସାମ୍ବାଦିକମାନଙ୍କ ଆଡ଼କୁ ହାତ ହଲାଇଥିଲେ ବି କିଛି କହି ନ ଥିଲେ।

ସମ୍ବନ୍ଧିତ ଖବର