ସାଉଦି ତୈଳ କୂପ ଆକ୍ରମଣ, ଯୁଦ୍ଧ ଧମକ ଦେଲା ଇରାନ୍‌

ଉତ୍ତେଜନା ବଢ଼ୁଛି, ଇରାନ୍‌କୁ ଦାୟୀ କଲା ଆମେରିକା

ରିୟାଦ: ସାଉଦି ଆରବରେ ଅବସ୍ଥିତ ବିଶ୍ବର ସବୁଠାରୁ ବଡ଼ ତେଲ କମ୍ପାନିର ଦୁଇଟି କୂପ ଉପରେ ଗତକାଲି ଭୟାନକ ଡ୍ରୋନ୍‌ ଆକ୍ରମଣକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସାଉଦି ଆରବର ତେଲ ଉତ୍ପାଦନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଏହି ଆକ୍ରମଣ ପାଇଁ ଇରାନ୍‌କୁ ଆଜି ସିଧାସଳଖ ଦାୟୀ କରିଛି ଆମେରିକା। ଆକ୍ରମଣ ପାଇଁ ୟେମେନର ହାଇଥି ବିଦ୍ରୋହୀ ସଂଗଠନ ନିଜକୁ ଦାୟୀ କରିଥିଲେ ମଧ୍ୟ ଏହା ପଛରେ ଇରାନ୍‌ର ହିଁ ହାତ ରହିଛି ବୋଲି ଆମେରିକା କହିଛି। ଆମେରିକାର ଅଭିଯୋଗକୁ ନେଇ ଇରାନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଇରାନ୍‌ ଉପରେ ଚାପ ସୃଷ୍ଟି ପାଇଁ ଏହା ଆମେରିକାର ଏକ ଘୃଣ୍ୟ ଷଡ଼ଯନ୍ତ୍ର ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକ ହେଲେ ଆମେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଅବତୀର୍ଣ୍ଣ ହେବୁ ବୋଲି ଇରାନ ସେନା ମୁଖ୍ୟ କହିଛନ୍ତି। ଇରାନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏକ ବିବୃତିରେ କୁହାଯାଇଛି, ଇରାନ୍‌ ବିରୋଧରେ ଆମେରିକାର ମିଛ ସବୁ ସୀମା ଟପିଯାଇଛି ଏବଂ କେବଳ ଯୁଦ୍ଧ ହିଁ ଆମ ପାଇଁ ବିକଳ୍ପ ଭାବେ ରହିଛି। ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ସଲମାନ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣର ଜାବବ ଦେବାପାଇଁ ଆମେ ସକ୍ଷମ ଏବଂ ଖୁବ୍‌ ଶୀଘ୍ର ଏହାର ଜବାବ ମିଳିବ। ସାଉଦିର ସବୁଠାରୁ ବଡ଼ ତୈଳ କମ୍ପାନି ଉପରେ ଆକ୍ରମଣ କରି ଆମ ଅର୍ଥନୀତିକୁ ଦୁର୍ବଳ କରିବାକୁ ଯୋଜନା ହୋଇଛି, କିନ୍ତୁ ଏହାକୁ ଆମେ ସଫଳତା ସହ ମୁକାବିଲା କରୁଛୁ ବୋଲି କ୍ରାଉନ୍‌ ପ୍ରିନ୍ସ କହିଛନ୍ତି। ବ୍ରିଟେନ୍‌ର ବିଦେଶ ସଚିବ କହିଛନ୍ତି ଯେ ସାଉଦିର ନିରାପତ୍ତା ଏବଂ ଶକ୍ତି କ୍ଷେତ୍ର ପ୍ରତି ଏହା ଏକ ପ୍ରଚଣ୍ଡ ଆକ୍ରମଣ। ଉପସାଗର ଅଂଚଳରେ ଉତ୍ତେଜନା ହ୍ରାସ ଦିଗରେ ବ୍ରିଟେନ ନିର୍ଣ୍ଣାୟକ ଭୂମିକା ନେବ ବୋଲି ସେ କହିଛନ୍ତି।

ରାଜସ୍ବ ଦୃଷ୍ଟିରୁ ବିଶ୍ବର ସବୁଠାରୁ ବଡ଼ ତୈଳ କମ୍ପାନି ଅରାମ୍‌କୋର ତୈଳ କୂପରେ ଗତକାଲି ଆକ୍ରମଣ ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ଆଜି ସାଉଦିର ତୈଳ ଉତ୍ପାଦନ ୫୦ ପ୍ରତିଶତ କମିଯାଇଛି। ଭୟଙ୍କର ଧୂଆଁ ଯୋଗୁଁ ଅଣାୟତ୍ତ ଅବସ୍ଥା ଉପୁଯିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିନଥିଲା। ଆକ୍ରମଣକୁ ନେଇ ସାଉଦି ଆରବ ଏବଂ ଅନ୍ୟ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରେ ବି ଉତ୍ତେଜନା ବଢ଼ିବାରେ ଲାଗିଛି । ଦେଶର ପୂର୍ବାଞ୍ଚଳରେ ଅବସ୍ଥିତ ତୈଳ କୂପ ଉପରେ ଏଭଳି ବଡ଼ ଆକ୍ରମଣ ପରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ଅନ୍ୟ ତୈଳ କୂପଗୁଡ଼ିକୁ ସିଲ୍‌ କରାଯାଇଛି। ୟେମେନ୍‌ର ବିଦ୍ରୋହୀ ସଂଗଠନ ଏବେ ନିଜକୁ ଦାୟୀ କରିଥିବାରୁ ଏହା ଉପରେ ମଧ୍ୟ ବିମାନ ଆକ୍ରମଣ ପାଇଁ ସାଉଦି ଆରବ ପ୍ରସ୍ତୁତ ହେଉଛି। ଅନ୍ୟପକ୍ଷରେ ଆମେରିକାର ବିଦେଶ ସଚିବ ମାଇକ୍‌ ପୋମ୍ପିଓ କହିଛନ୍ତି ଯେ ତୈଳ କ୍ଷେତ୍ର ଉପରେ ଅଧିକ ଆକ୍ରମଣ ପାଇଁ ଏବେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହେଉଛି। ସୂଚନାଯୋଗ୍ୟ, ହାଇଥି ବିଦ୍ରୋହୀଙ୍କୁ ଇରାନ୍‌ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛି।

ସମ୍ବନ୍ଧିତ ଖବର