ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କର ଆଜି ଦଣ୍ଡର ଶୁଣାଣି ହୋଇଛି। ୪ଜଣ ହତ୍ୟାକାରୀ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରଙ୍କୁ ଦିଲ୍ଲୀର ସା‌କେତ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ୧.୨ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।

Advertisment

ଏଥିସହିତ ଅନ୍ୟ ଜଣେ ଦୋଷୀ ଅଜୟ ସେଠୀକୁ ଆଜୀବନ ଜେଲ ହୋଇନାହିଁ । ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୧୧ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି।  ଗତଶୁକ୍ରବାର  ସାକେତ କୋର୍ଟ ଏହି ମାମଲାର ଶୁଣାଣି ପୂରା କରି ରାୟକୁ  ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ  ଦୋଷୀଙ୍କୁ ମିଳିଥିବା ଦଣ୍ଡର ଘୋଷଣା କରି କହିଛନ୍ତି, ‘ସୌମ୍ୟା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କୁ ଦୁଇଟି ମାମଲାରେ ଭିନ୍ନଭିନ୍ନ ଆଜୀବନ ଜେଲଦଣ୍ଡ ସହିତ ଜରିମାନା ହୋଇଛି।

ଏହି ଶୁଣାଣି ପରେ ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରଣ ହୋଇଥିବା କୁହାଯାଉଛି। କାରଣ ୨୦୦୮ ସେପ୍ଟେମ୍ବର ୩୦ରେ ୨୫ ବର୍ଷୀୟ ସାମ୍ବାଦିକ ସୌମ୍ୟା ଅଫିସରୁ ଫେରୁଥିବା ସମୟରେ ଦିଲ୍ଲୀର ବସନ୍ତ ବିହାରରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ମୃତଦେହ ତାଙ୍କ କାରରୁ ମିଳିଥିଲା।

ଏହି ହତ୍ୟାକାଣ୍ଡ ପରେ ଝିଅକୁ ନ୍ୟାୟ ଓ ଦୋଷୀକୁ ଦଣ୍ଡ ଦେବାପାଇଁ ସୌମ୍ୟାଙ୍କ ମାଆ ଅଭିଯୋଗ କରିବା ସହ ଆପ୍ରାଣ ଉଦ୍ୟମ କରିଥିଲେ। ସେ କହିଥିଲେ, ‘ମୋ କୋଳରୁ ତ ଝିଅ ଚାଲିଗଲା। ଜୀବନରେ ଖୁସି ବୋଲି ଆଉ କିଛି ରହିଲା ନାହିଁ। ବାସ ଏବେ ମୋର ମୃତ୍ୟୁକୁ ଅପେକ୍ଷା। ତେବେ ମୃତ୍ୟୁ ପୂର୍ବରୁ ଗୋଟିଏ ଇଚ୍ଛା ମୋର ରହିଛି। ତାହା ହେଉଛି ଝିଅ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ ହେଉ। ତେବେ ଯାଇ ମୁଁ ଶାନ୍ତିରେ ଶେଷ ନିଶ୍ବାସ ତ୍ୟାଗ କରି ପାରିବି।’

ଏହି ମାମଲାର ଶୁଣାଣି ସମୟରେ ବିଚାରପତି ସୌମ୍ୟାଙ୍କ ମା’ଙ୍କୁ ପଚାରିଥିଲେ, କ’ଣ କହିବାକୁ ଚାହିଁବେ?  ଏହି ସମୟରେ ମା’ କହିଥିଲେ, ‘କ’ଣ କହିବି ଆଜ୍ଞା , ‘‘ଝିଅ ଚାଲିଗଲା ସ୍ବାମୀ ଆଇସିୟୁରେ ପଡ଼ି ନ୍ୟାୟର ଅପେକ୍ଷା କରିଛନ୍ତି। ବାସ୍ ୧୫ବର୍ଷ ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଯାଉ।’’