‘ପ୍ରିଣ୍ଟିଙ୍ଗ ମିଷ୍ଟେକ୍’; ‌ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ସାବରକରଙ୍କ ଫଟୋକୁ ନେଇ ଏଭଳି ସଫେଇ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ଏବେ  ୧୪ଦିନରେ ପହଞ୍ଚିଥିବା ବେଳେ କଂଗ୍ରେସ ପାଇଁ ବିବାଦ ଥମିବାର ନାଁ ନେଉନାହିଁ। ପ୍ରଥମେ ରାହୁଲଙ୍କ ଦାମୀ ପୋଷାକକୁ ନେଇ କଂଗ୍ରେସ ସମାଲୋଚିତ ହୋଇଥିବା ବେଳେ ଏବେ ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ସାବରକରଙ୍କ ଫଟୋକୁ ନେଇ କଂଗ୍ରେସ ସମାଲୋଚିତ ହୋଇଛି। ଭାରତ ଯୋଡୋ ଯାତ୍ରା କେରଳର ଏର୍ନାକୁଲମ୍ ଜିଲ୍ଲାରେ ପହଞ୍ଚିବା ପରେ  କେରଳର ସ୍ବାଧୀନ ବିଧାୟକ ଏଭି ଅନୱର କଂଗ୍ରେସର ଏହି ଭୁଲକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।

ଅନୱାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ କଂଗ୍ରେସର ଭାରତ ଯୋଡା ଯାତ୍ରାର ଅଂଶ ଭାବରେ ଚେଙ୍ଗାମନାଡରେ ଲଗାଯାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟରରେ ସାବରକରଙ୍କର ଏକ ଫଟୋ ରହିଥିଲା। ଏ‌ନେଇ ବିରୋଧ ହେବାରୁ ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାବରକରଙ୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଥିବା ସେ ଦାବି କରିଛନ୍ତି।

ତେବେ ଏଭଳି ଦାବି ମଧ୍ୟରେ ଏହାକୁ ‘ପ୍ରିଣ୍ଟିଙ୍ଗ ମିଷ୍ଟେକ୍’ ବୋଲି କହିଛି କଂଗ୍ରେସ। ଦଳ ପକ୍ଷରୁ କୁହାଯାଇଛି ଯେ, ଆମେ ସବୁ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋକୁ ନେଇ ପ୍ରିଣ୍ଟର୍ସକୁ ପୋଷ୍ଟର ତିଆରି କରିବାକୁ କହିଥିଲୁ। ସେ ଅନଲାଇନରୁ ଫଟୋ ଆଣି ଭୁଲ କି ଠିକ୍ ଚେକ୍ ନକରି ପୋଷ୍ଟର ତିଆରି କରିଥିଲେ। ହେଲେ ପ‌ରେ ଭୁଲ ଜାଣିବା ପରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସାବରକରଙ୍କ ଫଟୋ ଉପରେ ମହାତ୍ମା ଗାନ୍ଧିଙ୍କ ଫଟୋ ଲଗାଇଥିଲେ। ଜାଣି ଜାଣି ଆମେ ଭୁଲ କରିନାହୁଁ।

ସମ୍ବନ୍ଧିତ ଖବର