ବ୍ରିଟିସ ଶାସକଙ୍କୁ ସହଯୋଗ କରିଥିଲେ ସବରକର: ରାହୁଲ

ରାହୁଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ହିନ୍ଦୁତ୍ବବାଦୀ ନେତା ବୀର ସବରକରଙ୍କୁ ଟାର୍ଗେଟ୍‌ କରି ଚାଲିଛନ୍ତି। ରାହୁଲ ଗାନ୍ଧି ଆଜି କହିଛନ୍ତି, ସବରକର ବ୍ରିଟିସ ଶାସକଙ୍କୁ ସହଯୋଗ କରିଛନ୍ତି ଏବଂ ଭୟରେ ସେ ବ୍ରିଟିସ ଶାସକଙ୍କୁ ଏକ ଦୟା ଆବେଦନ ଲେଖିଥିଲେ। ରାହୁଲ ମଧ୍ୟ ମହାରାଷ୍ଟ୍ରରେ ଚାଲିଥିବା ‘ଭାରତ ଯୋ‌ଡ଼ୋ ଯାତ୍ରା’ ବନ୍ଦ କରିବାପାଇଁ ମହାରାଷ୍ଟ୍ର ସରକାରକୁ ଚ୍ୟା‌ଲେଂଜ କରିଛନ୍ତି। ଅକୋଲା ଜିଲ୍ଲାର ୱାଡ଼େଗାଓଁରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାହୁଲ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ୧୯୨୦ ମସିହାର ସରକାରୀ ରେକର୍ଡରୁ ଏକ କାଗଜ ଦେଖାଇଥିଲେ। ସବରକରଙ୍କ ଦ୍ବାରା ବ୍ରିଟିସ ଶାସକଙ୍କ ପାଖକୁ ଲେଖାଯାଇଥିବା ଏକ ଚିଠିକୁ ରାହୁଲ ପ୍ରମାଣ ଭାବେ ଦର୍ଶାଇଛନ୍ତି। ରାହୁଲ କହିଛନ୍ତି, ଏହା ହେଉଛି ସବରକରଙ୍କ ଦ୍ବାରା ବ୍ରିଟିସରଙ୍କୁ ଦିଆଯାଇଥିବା ଦୟା ଆବେଦନ। ଏଥିରେ ଲେଖାଯାଇଛି ‘ଆଇ ବେଗ୍‌ ଟୁ ରିମେନ୍‌ ୟୋର ମୋଷ୍ଟ ଓବିଡିଏଣ୍ଟ ସର୍ଭାଣ୍ଟ୍‌।’

‘ଭୟରେ ଦୟା ଆବେଦନ ଲେଖିଥିଲେ’
ରାହୁଲଙ୍କ କଥାକୁ ଆମେ ଗ୍ରହଣ କରୁନୁ: ଉଦ୍ଧବ ଠାକ୍‌ରେ

ଏଥିରେ ଭି ଡି ସବରକରଙ୍କ ସ୍ବାକ୍ଷର ରଖିଛି। ରାହୁଲ କହିଛନ୍ତି, ଏଥିରୁ ଜଣାପଡ଼ୁଛି ଯେ ସବରକର ବ୍ରିଟିସ ଶାସକଙ୍କୁ ସହଯୋଗ କରିଛନ୍ତି। ଏଭଳି କରି ସେ ଜାତିର ଜନକ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ଜବାହରଲାଲ ନେହରୁ ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀମାନଙ୍କ ସହ ବିଶ୍ବାସଘାତ କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଭିଡି ସବରକରଙ୍କ ପ୍ରତି ତାଙ୍କ ଦଳର ଯଥେଷ୍ଟ ସମ୍ମାନ ରହିଛି ଏବଂ ସେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ଗ୍ରହଣ କରୁନାହାନ୍ତି। ମୁମ୍ବାଇରେ ସାମ୍ବାଦିକଙ୍କୁ ଠାକରେ କହିଛନ୍ତି, ସବରକରଙ୍କ ପ୍ରତି ରାହୁଲ ଗାନ୍ଧି ଯେଭଳି ଟିପ୍ପଣୀ ଦେଇଛନ୍ତି ଆମେ ତାହାକୁ କଦାପି ଗ୍ରହଣ କରିବୁ ନାହିଁ। ସବରକରଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି ଏବଂ ଏହାକୁ କେହି ନଷ୍ଟ କରିପାରିବେ ନାହିଁ।

ରାହୁଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କଲେ ସାବରକରଙ୍କ ନାତି
ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଥିବାରୁ ବୀର ସାବରକରଙ୍କ ନାତି ରଣଜିତ ସାବରକର ଏବଂ ଶିବସେନା ସାଂସଦ ରାହୁଲ ସେୱାଲେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ରାହୁଲଙ୍କୁ ତୁରନ୍ତ ଗିରଫ ଦାବି କରି ରଣଜିତ ସାବରକର କହିଛନ୍ତି, ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାବରକରଙ୍କୁ ଲଗାତାର ଅପମାନିତ କରିଚାଲିଛି। ଆଜି ମଧ୍ୟ ରାହୁଲ ଗାନ୍ଧି ଏ କ୍ଷେତ୍ରରେ ସୀମା ଟପିଛନ୍ତି। ତେଣୁ ଆମେ ଶିବାଜୀ ପାର୍କ ଥାନାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗ କରିଛୁ। ଜଣେ ମହିଳା ଶରଦ ପାୱାରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କୁ ଏକ ମାସ ଜେଲରେ ରଖାଯାଇଥିଲା। ସାବରକର ଦେଶର ଜଣେ ମହାନ ନେତା। ତେଣୁ କଂଗ୍ରେସ ନେତାଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ରଣଜିତ କହିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧି ଭାରତ ଯୋ‌ଡ଼ୋ ଯାତ୍ରା ସମୟରେ ଏକ ଆଦିବାସୀ ସମ୍ମିଳନୀରେ ସାବରକରଙ୍କ ବିରୋଧରେ ଦେଇଥିବା ବୟାନକୁ ବିଭିନ୍ନ ମହଲ ବିରୋଧ କରିଥିବା ବେଳେ ମହାରାଷ୍ଟ୍ରରେ କଂଗ୍ରେସର ମେଣ୍ଟ ସହଯୋଗୀମାନେ ମଧ୍ୟ ଏଭଳି ବୟାନକୁ ସମର୍ଥନ କରିନାହାନ୍ତି।

ସମ୍ବନ୍ଧିତ ଖବର