ବେଙ୍ଗାଲୁରୁ: ବାଚସ୍ପତି ବିଶ୍ବେଶ୍ବର କାଗେରୀ ଏବଂ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କଦ୍ବାରା ବେଲଗାବୀସ୍ଥିତ ରାଜ୍ୟ ବିଧାନସଭାରେ ସଭରକରଙ୍କ ପ୍ରତିକୃତି ସମେତ କେତେକ ସ୍ବାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ନେତାଙ୍କ ପ୍ରତିକୃତି ଉନ୍ମୋଚିତ କରାଯିବାରୁ କର୍ଣ୍ଣାଟକ କଂଗ୍ରେସର ସଦସ୍ୟମାନେ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମାଧୁସ୍ବାମୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ ସି. ସି. ପାଟିଲ୍‌, ଜଳ ସମ୍ପଦ ମନ୍ତ୍ରୀ ଗୋବିନ୍ଦ କାର୍ଜୋଲ୍‌ ଓ ନଗର ଉନ୍ନୟନ ମନ୍ତ୍ରୀ ବାଇରତି ବସବରାଜଙ୍କ ଉପସ୍ଥିତିରେ ବାଚସ୍ପତି ବିଶ୍ବେଶ୍ବର କାଗେରୀ ମହାତ୍ମା ଗାନ୍ଧୀ, ବସବନ୍ନା, ସୁଭାଷ ଚନ୍ଦ୍ର, ଡକ୍ଟର୍‌ ବି.ଆର୍‌. ଆମ୍ବେଦକର, ସର୍ଦାର ପଟେଲ୍‌, ବିବେକାନନ୍ଦ ଏବଂ ବୀର ସଭରକରଙ୍କ ପ୍ରତିକୃତି ଉନ୍ମୋଚନ କରିଛନ୍ତି।

ଏହାକୁ ବିରୋଧ କରି କଂଗ୍ରେସ ନେତାମାନେ ବିଧାନସଭା ବାହାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ତଥା ବିଧାୟକ ଡି.କେ. ଶିବକୁମାର କହିଛନ୍ତି, ସେମାନଙ୍କର ଇଚ୍ଛା ଆମ ବିଧାନସଭା ଅଧିବେଶନ ନ ଚାଲୁ। ସେମାନେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆମେ ସେମାନଙ୍କ ବିରୋଧରେ ଗୁଡ଼ାଏ ଦୁର୍ନୀତି ମାମଲା ଆଗତ କରିବୁ ଜାଣି ସେମାନେ ଏହି ଫଟୋ ସବୁ କିଣି ଆଣିଛନ୍ତି।

publive-image Image Courtesy of NDTV

ବିରୋଧୀ ଦଳର ନେତା ସିଦ୍ଧରମୟା କହିଛନ୍ତି, ଏହା ପ୍ରତିବାଦ ନୁହେଁ, କର୍ଣ୍ଣାଟକ ବିଧାନସଭା ହଲ୍‌ରେ ସମସ୍ତ ଜାତୀୟ ନେତା ଓ ସମାଜ ସଂସ୍କାରକମାନଙ୍କ ପ୍ରତିକୃତି ରଖାଯାଉ ବୋଲି ଆମର ଦାବି। ବିଧାନସଭାରେ ବୀର ସଭରକରଙ୍କ ପ୍ରତିକୃତି ସ୍ଥାପନ କରିବା ନିଷ୍ପତ୍ତି ବାଚସ୍ପତି ଏକତରଫା ଭାବେ ଗ୍ରହଣ କରିଛନ୍ତି। କାହା ପ୍ରତିକୃତି ସ୍ଥାପନାକୁ ମୁଁ ବିରୋଧ କରୁନାହିଁ। କିନ୍ତୁ, ସରକାର ଆଇନଶୃଙ୍ଖଳା ଭଳି ଅସଲ ସମସ୍ୟା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ଏମିତି କରୁଥିବାରୁ ଆମେ ପ୍ରତିବାଦ କରୁଛି।

ବିଧାନ ପରିଷଦ୍‌ର ‌ କଂଗ୍ରେସ ସଦସ୍ୟ ପ୍ରକାଶ ରାଠୋଡ୍‌ କହିଛନ୍ତି, ‘ବିଜେପି’ଦ୍ବାରା ସଭରକରଙ୍କ ଫଟୋ ଉନ୍ମୋଚନ ହେବା ଦୁଃଖଦାୟକ। ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଫଟୋ ମଧ୍ୟ ଲଗାଯିବା କଥା। ବାଙ୍ଗାଲୋର୍‌ ବିଧାନସଭାରେ ଯାହା କିଛି ପ୍ରତିକୃତି ଥିଲା ସେତିକିରେ ଚଳି ଥାଆନ୍ତା। ନୂଆ ପ୍ରତିକୃତି ଲଗାଯିବାର କ’ଣ ପ୍ରୟୋଜନ ଥିଲା?