ସବରକରଙ୍କ ପୋଷ୍ଟର ଚିରାକୁ ନେଇ କର୍ଣ୍ଣାଟକରେ ବଢୁଛି ସାଂପ୍ରଦାୟିକ ଉତ୍ତେଜନା

ଟୁମକୁରୁ : ସବରକରଙ୍କ ପୋଷ୍ଟରକୁ ନେଇ କର୍ଣ୍ଣାଟକରେ ସାଂପ୍ରଦାୟିତ ଉତ୍ତେଜନା ବଢିବାରେ ଲାଗିଛି । ମାଙ୍ଗାଲୁରୁ ଓ ଶିବମୋଗା ପରେ କର୍ଣ୍ଣାଟକର ଆଉ ଏକ ସହର ଟୁମକୁରୁଠାରେ ଲାଗିଥିବା ସବରକରଙ୍କ ଏକ ପୋଷ୍ଟର ଚିରାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।

ଟୁମକୁରୁରେ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ କେତେକ ଦକ୍ଷିଣପନ୍ଥୀ ଗୋଷ୍ଠୀ ସବରକରଙ୍କ ପୋଷ୍ଟର ମାରିଥିଲେ । ମଙ୍ଗଳବାରଦିନ ଆଉ ଏକ ଗୋଷ୍ଠୀ ଉକ୍ତ ପୋଷ୍ଟରକୁ ଚିରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଶିବମୋଗା ପରି ଏହି ଘଟଣାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ବଢିବାର ଆଶଙ୍କା ଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ସୋମବାରଦିନ ଶିବମୋଗାର ଅମିର ଅହମ୍ମଦ ସର୍କଲରେ ବୀର ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ମାରିବାକୁ ନେଇ ହିନ୍ଦୁବାଦୀ ଓ ଆଉ ଏକ ସ୍ଥାନୀୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ପୁଲିସକୁ ହସ୍ତକ୍ଷେପ କରି ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହା ସହିତ ପୁଲିସ ୧୪୪ ଧରା ଲଗାଇଥିଲା ।

ଏହା ସତ୍ତ୍ବେ ହିଂସାବଢିବା ସହ ଜଣେ ବ୍ୟକ୍ତିକୁ କିଛି ଲୋକ ଛୁରୀ ଭୁସିଦେଇଥିଲେ । ପୁଲିସ ଏହି ଘଟଣାରେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାର କିଛି ଦିନ ପୂର୍ବେ ମାଙ୍ଗାଲୁରୁରେ ବି ବୀର ସବରକରଙ୍କ ପୋଷ୍ଟର ମରାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ବିରୋଧରେ ସୋସିଆଲ ଡେମୋକ୍ରାଟିକ ପାର୍ଟି ( ଏସଡିପିଆଇ) ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର