ଆମ ସରକାର ଦୁର୍ବିପାକମୁଖୀ ଭାରତୀୟ ଅର୍ଥନୀତିକୁ ରକ୍ଷା କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପାଞ୍ଚ ଛଅ ବର୍ଷ ତଳେ ଦୁର୍ବିପାକ ଆଡ଼କୁ ମୁହାଁଉଥିବା ଭାରତୀୟ ଅର୍ଥନୀତିକୁ କେନ୍ଦ୍ର ସରକାର ‘ରକ୍ଷା’ କରିଛନ୍ତି ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଛନ୍ତି। ତାଙ୍କ ସରକାର ଅର୍ଥନୀତିକୁ ଖାଲି ସୁଦୃଢ଼ କରିନାହାନ୍ତି, ଶୃଙ୍ଖଳିତ କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି।

‘ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ’ର ଶତବାର୍ଷିକ ଅଧିବେଶନର ଉଦ୍‌ଘାଟନୀ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ପାଞ୍ଚ ଛଅ ବର୍ଷ ତଳେ ଆମର ଅର୍ଥନୀତି ଦୁର୍ବିପାକ ଆଡ଼କୁ ଯାଉଥିଲା। ଆମ ସରକାର ଏହାକୁ ଖାଲି ସୁଦୃଢ଼ କରି ନାହାନ୍ତି, ଶୃଙ୍ଖଳିତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଶିଳ୍ପ କ୍ଷେତ୍ରର ଦଶନ୍ଧି ଦଶନ୍ଧି ପୁରୁଣା ଦାବି ସବୁ ପୂରଣ କରିବା ନିମନ୍ତେ ଆମେ ଧ୍ୟାନ ଦେଇଛୁ।

ସେ ଆହୁରି କହିଛନ୍ତି: କେନ୍ଦ୍ରରେ ଆମ ସରକାର ଆଜି କୃଷକ, ଶ୍ରମିକ ଓ ଶିଳ୍ପର କଥା ଶୁଣିବାକୁ ପ୍ରସ୍ତୁତ ରହିଛି।

Image Soruce: ANI

ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ୧୩ଟି ବ୍ୟାଙ୍କ୍‌ର ପୁଣି ଲାଭ ହେଲାଣି। ଛଅଟି ବ୍ୟାଙ୍କ୍‌ ‘ପିସିଏ’ରୁ (ପ୍ରମ୍ପଣ୍ଟ୍‌ କରେଟିଭ୍‌ ଆକ୍‌ସନ୍‌) ମୁକ୍ତି ପାଇଛନ୍ତି। ବ୍ୟାଙ୍କ୍‌ ମିଶ୍ରଣ ପ୍ରକ୍ରିୟାକୁ ମଧ୍ୟ ଆମେ ତ୍ୱରାନ୍ଵିତ କରିଛୁ। ଆଜିକାଲି ବ୍ୟାଙ୍କ୍‌ ସବୁ ଦେଶବ୍ୟାପୀ ସେମାନଙ୍କର ନେଟ୍‌ଓ୍ଵାର୍କ ପ୍ରସାର କରୁଛନ୍ତି ଓ ବିଶ୍ୱସ୍ଥରୀୟ ହେବାକୁ ଉଦ୍ୟମ କରୁଛନ୍ତି।

ଭାରତକୁ ୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି କରିବା ଲକ୍ଷ୍ୟ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଛନ୍ତି: ମୁଁ ୫ ଟ୍ରିଲିୟନ୍‌ ଡଲାର୍‌ ଲକ୍ଷ୍ୟ ଧାର୍ଯ୍ୟ କରିବା ବେଳେ ଏହାର ପ୍ରତିକୂଳ ପରିସ୍ଥିତି କଥା ମଧ୍ୟ ଜାଣିଥିଲି। ୫ ଟ୍ରିଲିୟନ୍‌ ଡଲାର୍‌ ଲକ୍ଷ୍ୟ ସ୍ୱତଃସ୍ଫୃତ ନୁହେଁ। ଗତ ପାଞ୍ଚ ବର୍ଷ ହେଲା ଏହା ଉପରେ ବିତର୍କ ଚାଲିଛି। ୨୦୧୪ରେ ମୁଁ ଭାରତକୁ ବାହ୍ୟ ମଳମୁକ୍ତ କରାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲି। ଏହାକୁ ହାସଲ କରିବାକୁ ଦେଶ ଉଦ୍ୟମ ଚଳାଇଲା। କୌଣସି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଲୋକଙ୍କୁ ସକ୍ରିୟ କରାଇବା ଓ ପ୍ରକ୍ରିୟାର ଆଧୁନିକକରଣ କରାଇବା ଗୁରୁତ୍ୱପୂର୍ଣ୍ଣ ଅଟେ।

ସମ୍ବନ୍ଧିତ ଖବର