ମୋବାଇଲ ଚେକ କରନ୍ତୁ, ଏହି ନମ୍ବରରୁ ଫୋନ ଆସିନାହିଁ ତ ! ଏସବିଆଇ ଦେଲା ଚେତାବନୀ

ନୂଆଦିଲ୍ଲୀ: ଏହି ଦୁଇଟି ନମ୍ବରରୁ କଲ ଆସୁଥିଲେ ଉଠାନ୍ତୁ ନାହିଁ | ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଏକ ଆଡ଼ଭାଇଜାରୀ ଜାରି କରି କହିଛି ଯେ ଯଦି ଏହି ଦୁଇଟି ନମ୍ବରରୁ କୌଣସି ଫୋନ କଲ ଆସୁଛି ଆଉ ଆପଣ ଉଠାଇବେ ତେବେ ଅସୁବିଧାରେ ପଡିପାରନ୍ତି | ଇମେଲ ସମେତ ଏସଏମଏସ, ଟ୍ୱିଟ୍ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଏସବିଆଇ ଲୋକଙ୍କୁ ସଚେତନ କରିଛି | ବ୍ୟାଙ୍କ କହିଛି ଯେ ଏଥିରେ ବ୍ୟାଙ୍କର ନାମ ବ୍ୟବହାର କରି ଲୋକଙ୍କୁ ଠକାଯାଉଛି। ଏସବିଆଇ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦୁଇଟି ନମ୍ବର ହେଉଛି ‘୮୨୯୪୭୧୦୯୪୬’ ଏବଂ ‘୭୩୬୨୯୫୧୯୭୩’ |

ଏସବିଆଇର କହିବା ଅନୁଯାୟୀ ଏହି ଦୁଇଟି ନମ୍ବରରୁ ଆସୁଥିବା ଫୋନ କଲ ମାଧ୍ୟମରେ ସାଇବର ଠକମାନେ ବ୍ୟାଙ୍କର ନାମ ବ୍ୟବହାର କରି ଠକେଇ କରିଥାନ୍ତି | ସୂଚନା ମୁତାବକ ଆସାମ ସିଆଇଡି ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇଥିଲା | ସିଆଇଡି ଏକ ଟୁଇଟରେ ଲେଖିଛି, “ଏସବିଆଇ ଗ୍ରାହକଙ୍କୁ କେୱାଇସିକୁ ଅପଡେଟ୍ କରିବା ପାଇଁ ଏହି ଦୁଇଟି ନମ୍ବରରୁ କଲ ଆସିଥାଏ | ଏହି ନମ୍ବରରୁ କଲ ଆସିବା ପରେ ଏକ ଲିଙ୍କ ଆସିଥାଏ | ଗ୍ରାହକ ଯଦି ଲିଙ୍କ ଉପରେ କ୍ଲିକ କରନ୍ତି ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ମୂଳପୋଛ ହୋଇଯାଇଥାଏ |

ସମସ୍ତ ଏସବିଆଇ ଗ୍ରାହକଙ୍କୁ ଏପରି କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନକରିବାକୁ ଅନୁରୋଧ କରାଯାଇଛି’ | ପରେ ବ୍ୟାଙ୍କ ମଧ୍ୟ ଏହି ଟୁଇଟକୁ ସମର୍ଥନ କରି ଗ୍ରାହକଙ୍କୁ ଫୋନ ନ ଉଠାଇବାକୁ ଏବଂ କେୱାଇସି ଅପଡେଟ୍ ଲିଙ୍କରେ କ୍ଲିକ୍ ନକରିବାକୁ କୁହାଯାଇଛି । କେବଳ କଲରେ ନୁହେଁ ଏସଏମଏସ, ଇମେଲ ଇତ୍ୟାଦିରେ ମଧ୍ୟ ଏହି ଲିଙ୍କ ପ୍ରତି ଏସବିଆଇ ସତର୍କ ରହିବାକୁ କହୁଛି। ବ୍ୟାଙ୍କ କହିଛି ଯେ ଏପରି କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ ଯେଉଁଥିରେ ଏଟିଏମ୍ ପିନ, ସିଭିଭି ନମ୍ବର ବା ଓଟିପି ବାବଦରେ ତଥ୍ୟ ଦେବାକୁ କୁହାଯାଉଛି |

ସମ୍ବନ୍ଧିତ ଖବର