ବାୟୁସେନାର କର୍ମଚାରୀଙ୍କ ବେତନ ଓ ପେନସନ ପରିଚାଳନା କରିବ ଷ୍ଟେଟ ବ୍ୟାଙ୍କ

ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରତିରକ୍ଷା ବେତନ ପ୍ୟାକେଜ୍ ସ୍କିମ୍ ମାଧ୍ୟମରେ ଭାରତୀୟ ବାୟୁସେନା ପାଇଁ କାମ କରୁଥିବା ସମସ୍ତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁବିଧା ଓ ସୁଯୋଗ ପ୍ରଦାନ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସବିଆଇ) ପକ୍ଷରୁ  ଭାରତୀୟ ବାୟୁ ସେନା ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି । ନୂଆଦିଲ୍ଲୀରେ ଏୟାର ଚିଫ୍ ମାର୍ଶଲ ଭି ଆର୍ ଚୌଧୁରୀ, ଏୟାର ମାର୍ଶଲ କେ ଅନନ୍ତରମଣ, ଏୟାର ଅଫିସର ଇନଚାର୍ଜ ଓ ଏୟାର ଭାଇସ୍ ମାର୍ଶଲ ଅଶୋକ ସଇନି, ଆସିଷ୍ଟାଂଟ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ସ୍ୱାମିନାଥନ୍ ଜେ, ଷ୍ଟେଟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପି ସି କାଣ୍ଡପାଲ୍, ଉପ ପରିଚାଳନା ନିର୍ଦେଶକ ଦେବେନ୍ଦ୍ର କୁମାର ଓ ଏୟାର ଭାଇସ୍ ମାର୍ଶଲ ଏ କେ ସିଂହଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ମାଗଣା ଦୁର୍ଘଟଣା ବୀମା, ବାୟୁ ଦୁର୍ଘଟଣା ବୀମା ଏବଂ କର୍ତବ୍ୟ ପାଳନ ସମୟରେ ମୃତ୍ୟୁ ପାଇଁ ଅତିରିକ୍ତ ସୁରକ୍ଷା, ସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ/ ଆଂଶିକ ଦିବ୍ୟାଙ୍ଗ ପାଇଁ ମଧ୍ୟ ବୀମା ସୁବିଧା ଭଳି ବହୁ ପ୍ରକାର ଲାଭ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରୁଛି । ବାୟୁ ସେନା କର୍ମଚାରୀଙ୍କ ମୃତ୍ୟୁ ଭଳି ମାମଲାରେ ତାଙ୍କ ପିଲାଙ୍କ ଶିକ୍ଷା ଓ ବାଳିକା ଶିଶୁର ବିବାହ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ପ୍ୟାକେଜରେ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀଙ୍କୁ ତାଙ୍କ ବୟସ ଯାହା ହୋଇଥାଉ ନା କାହିଁକି ମାଗଣା ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରାଯାଉଛି । ପେନସନଭୋଗୀ ପରିବାରକୁ ମଧ୍ୟ ବହୁ ସୁବିଧା ପ୍ରଦାନ କରାଯାଉଛି ।

 

 

ସମ୍ବନ୍ଧିତ ଖବର