କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ : ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ସଂକ୍ରମଣ

୧୦୦ ଦିନ ପର୍ଯ୍ୟନ୍ତ ରହିବ ପ୍ରଭାବ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କରୋନା ସମ୍ପର୍କିତ ରିପୋର୍ଟ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆଣିଛି । ଯେଉଁଥିରେ କୁହାଯାଇଛି, ଦେଶରେ କରୋନାର ଦ୍ୱିତୀୟ ଲହର ଫେବ୍ରୁଆରି ୧୫ ପରେ ଆସିଥିବାର ସଂକେତ ମିଳିଛି । ଏହି ରିପୋର୍ଟ କହିଛି, ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ଦେଖାଦେଇଥିବା ଟ୍ରେଣ୍ଡ ଅନୁସାରେ ଦ୍ୱିତୀୟ ଲହର ଦ୍ୱାରା ଭାରତରେ ୨୫ଲକ୍ଷ ଲୋକ ଆକ୍ରାନ୍ତ ହେବେ । ୨୮ ପୃଷ୍ଠାର ଏହି ରିପୋର୍ଟ କହିଛି, ସ୍ଥାନୀୟ ଲକଡାଉନ କିମ୍ବା ଅନ୍ୟ କଟକଣା ଦ୍ୱାରା ବିଶେଷ କିଛି ଲାଭ ମିଳିବ ନାହିଁ । କେବଳ ତ୍ୱରାନ୍ୱିତ ଟିକାକରଣ ଦ୍ୱାରା ହିଁ ପରିସ୍ଥିତିରେ ସୁଧାର ଆସିପାରିବ।

ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏପ୍ରିଲ ମାସ ଦ୍ୱିତୀୟ ଭାଗରେ ଦ୍ୱିତୀୟ ଲହରର ପିକ୍ ଆସିବ ଅର୍ଥାତ ଦ୍ୱିତୀୟ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିବ । ତେଣୁ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୪୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତ ୫ ମାସରେ ଏହା ସବୁଠାରୁ ବଡ଼ ସଂଖ୍ୟା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି,କରୋନାର ଏକ ନୂଆ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ୧୮ଟି ରାଜ୍ୟରେ ରହିଛି । ବର୍ତ୍ତମାନ ଦିନକୁ ୩୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଏହାକୁ ୪୦ରୁ ୪୫ଲକ୍ଷକୁ ବଢାଇଲେ, ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଆହୁରି ୪ମାସ ସମୟ ଲାଗିବ।

ସମ୍ବନ୍ଧିତ ଖବର