ଏସ୍‌ବିଆଇ ଗବେଷଣା ରିପୋର୍ଟ: ତୃତୀୟ ଲହର ଆଉ ୩ ସପ୍ତାହ

ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ୍ ଏକ ସାଧାରଣ ରୋଗରେ ପରିଣତ ହୋଇପାରେ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ ତୃତୀୟ ଲହର ଆଉ ମାତ୍ର ୨-୩ ସପ୍ତାହ ପ୍ରଭାବୀ ରହିବ ଏବଂ ଏହି ଲହର ପରିସମାପ୍ତି ପ୍ରକ୍ରିୟାର ଆରମ୍ଭ ମାତ୍ର ସପ୍ତାହକ ମଧ୍ୟରେ ଦେଖିଯିବ ବୋଲି ଏସ୍‌ବିଆଇ (‌ଷ୍ଟେଟ୍‌ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ) ଗବେଷଣା ରିପୋର୍ଟରେ କୁହାଯାଇଛି । ଦେଶରେ ସର୍ବାଧିକ ସଂକ୍ରମଣ ହେଉଥିବା ୧୫ଟି ଜିଲ୍ଲାରେ ସଂକ୍ରମଣ କମୁଥିବା ବେଳେ ମୁମ୍ବାଇରେ ଜାନୁଆରି ୭ରେ ତୃତୀୟ ଲହର ଶୀର୍ଷ ଛୁଇଁ ସାରିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଜାନୁଆରି ୭ରେ ମୁମ୍ବାଇରେ ସର୍ବାଧିକ ୨୦,୯୭୧ ମାମଲା ସାମ୍ନାକୁ ଆସିଥିଲା। ତେବେ ଜାତୀୟ ସ୍ତରରେ ସଂକ୍ରମଣର ଶୀର୍ଷ ୨-୩ ସପ୍ତାହରେ ଆସିବ ବୋଲି ଏସ୍‌ବିଆଇ ରିପୋର୍ଟରେ ଦର୍ଶାଯାଇଛି।

ଟିକାକରଣ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ ୭୦ ପ୍ରତିଶତ ଲକ୍ଷ ହାସଲ କରିଛନ୍ତି। ଟିକାକରଣ ଅଭିଯାନର ସଫଳତା ଯୋଗୁଁ ତୃତୀୟ ଲହର ଅଧିକ ଲମ୍ବା ହେବନାହିଁ ବୋଲି ଏସ୍‌ବିଆଇ କହିଛି। ଦେଶରେ ୬୪ ପ୍ରତିଶତ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଥିବାରୁ ତୃତୀୟ ଲହରରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପ୍ରତି ମଧ୍ୟ କୌଣସି ବଡ଼ ଚ୍ୟାଲେଂଜ ଆସିବ ନାହିଁ। ଏବେ ଗ୍ରାମୀଣ କ୍ଷେତ୍ରରେ ସଂକ୍ରମଣ ଦ୍ରୁତ ହେଉଛି ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ବିହାର, ଅରୁଣାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ରାଜସ୍ଥାନ ଆଦି ରାଜ୍ୟରେ ଗ୍ରାମାଞ୍ଚଳରୁ ଅଧିକ ସଂକ୍ରମଣ ଆସୁଛି। ତେବେ ଗ୍ରାମୀଣ ସଂକ୍ରମଣରେ ବି ଖୁବ୍‌ଶୀଘ୍ର ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି।

cdc

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ମହାମାରୀ-ତତ୍ତ୍ବ ବିଭାଗ ମୁଖ୍ୟ ସମୀରଣ ପଣ୍ଡା କହିଛନ୍ତି ଯେ, ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ୍ ମହାମାରୀ ଏକ ସାଧାରଣ ରୋଗରେ ପରିଣତ ହୋଇପାରେ। ଯଦି ଆମେ କୋଭିଡ୍ କଟକଣା ମାନିବାରେ ହେଳା ନ କରୁ ଏବଂ ଯଦି କୌଣସି ନୂଆ ଭାରିଆଣ୍ଟର ଉଦ୍ଭବ ନ ହୁଏ, ତେବେ କୋଭିଡ୍ ମାର୍ଚ୍ଚ ୧୧ ସୁଦ୍ଧା ଏହା ସାଧାରଣ ରୋଗ ସ୍ତରକୁ ଚାଲିଆସିବ। ଯଦି ଓମିକ୍ରନ୍ ସମ୍ପୂର୍ଣ୍ଣ ଭାବେ ଡେଲ୍‌ଟାକୁ ତଡ଼ି ତା’ର ଜାଗା ନେଇଯାଏ, ତେବେ ବି ମହାମାରୀ ସାଧାରଣ ରୋଗରେ ପରିଣତ ହେବ। ତାଙ୍କ ଗଣିତ ଅନୁସାରେ, ଡିସେମ୍ବର ୧୧ରୁ ଓମିକ୍ରନ୍ ତିନି ମାସ ଯାଏ ରହିବ। ମାର୍ଚ୍ଚ ୧୧ରୁ ରୋଗ କବଳରୁ ମୁକ୍ତି ମିଳିବ। ଦିଲ୍ଲୀ ଓ ମୁମ୍ବାଇରେ ମହାମାରୀ ଚରମରେ ପହଞ୍ଚିସାରିଛି ଓ ସବୁଠୁ ଖରାପ ସମୟ ଯାଇସାରିଛି ବୋଲି କହିବା ପାଇଁ ଆମକୁ ଆଉ ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଅଳ୍ପ ଦିନର ବଢ଼ିବା ବା କମିବାର ଧାରାକୁ ଦେଖି ଆମେ ନିଷ୍ପତ୍ତି ନେଇପାରିବା ନାହିଁ।

ପଣ୍ଡା କହିଲେ ଯେ, ଦିଲ୍ଲୀ ଓ ମୁମ୍ବାଇରେ ଓମିକ୍ରନ୍ ଓ ଡେଲ୍‌ଟା ଜନିତ ସଂକ୍ରମଣର ଅନୁପାତ ପ୍ରାୟ ୮୦:୨୦ ରହିଛି। ବିଭିନ୍ନ ରାଜ୍ୟର ସ୍ଥିତି ଅଲଗା ଅଲଗା। ଆଇସିଏମ୍‌ଆର୍ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଲକ୍ଷ୍ୟ କରି ଏହାର ପରୀକ୍ଷଣ ନୀତି ବଦଳାଇ ସାରିଲାଣି। ତେବେ ରାଜ୍ୟଗୁଡ଼ିକୁ ପରୀକ୍ଷା କମାଇବାକୁ କୁହାଯାଇ ନାହିଁ ବୋଲି ପଣ୍ଡା ସ୍ପଷ୍ଟ କରିବା ସହ କହିଥିଲେ ଯେ, ଅଧିକ ଅଭିମୁଖୀ ଓ ଲକ୍ଷ୍ୟ ପୂରଣକାରୀ ପରୀକ୍ଷା କରିବାକୁ କୁହାଯାଇଛି। ମହାମାରୀ ମଧ୍ୟ ତା’ର ଚରିତ୍ର ବଦଳାଇ ସାରିଲାଣି। ତେଣୁ ପରୀକ୍ଷା ଓ ପରିଚାଳନା ନୀତି ବଦଳିବ। ମଲନୁପିରାଭିର ବିଷୟରେ ବୈଜ୍ଞାନିକ ପଣ୍ଡା କହିଛନ୍ତି ଯେ, ଏହାକୁ ଟିକା ନେଇ ନ ଥିବା ରୋଗୀକୁ ଦିଆଯାଇପାରେ। କିନ୍ତୁ ଗର୍ଭବତୀ ଓ କ୍ଷୀର ଦେଉଥିବା ମହିଳା ଏବଂ ଶିଶୁଙ୍କୁ ଏହାକୁ ଦେବା ନେଇ କୌଣସି ମାର୍ଗଦର୍ଶିକା ନାହିଁ।

ସମ୍ବନ୍ଧିତ ଖବର