ତିନିମାସର ବିରତି ପରେ ଜୁଲାଇରୁ ପୁଣି ମହଙ୍ଗା ହେଲା ଏସବିଆଇ ଏଟିଏମ ସେବା

ମୁମ୍ବାଇ : ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଜର ଏଟିଏମ ଉଠାଣ ନିୟମରେ କେତେକ ସଂଶୋଧନ କରାଯାଇଛି । ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ କରୋନା ଭାଇରସ ପାଇଁ ଏପ୍ରିଲ ୧ ଠାରୁ ଜୁନ ୩୦ ପର୍ଯ୍ୟନ୍ତ ଏଟିଏମ ଉଠାଣକୁ ଶୁଳକମୁକ୍ତ କରାଯାଇଥିଲା । କିନ୍ତୁ ଏବେ ଜୁଲାଇ ୧ରୁ ବ୍ୟାଙ୍କ ଏସବୁ ସୁବିଧାକୁ ପ୍ରତ୍ୟାହାର କରିନେଇଛି । ଅର୍ଥାତ ଏଣିକି ଧାର୍ଯ୍ୟସଂଖ୍ୟକ ଠାରୁ ଅଧିକ ଥର ଏଟିଏମ ଉଠାଣ କଲେ ଶୁଳକ ପଡ଼ିବ ।

ନିୟମଅନୁସାରେ ଏସବିଆଇ ଗ୍ରାହକମାନେ ନିଜ ବ୍ୟାଙ୍କର ଏଟିଏମରୁ ମାସକୁ ୫ ଥର ବିନା ଶୁଳକରେ ଓ ଅନ୍ୟ ବ୍ୟାଙ୍କର ଏଟିଏମରୁ ମାସକୁ ୩ ଥର ବିନା ଶୁଳକରେ ଟଙ୍କା ଉଠାଇ ପାରିବେ। ଅଣ-ମେଟ୍ରୋ ସହରରେ ଏହା ୧୦ଟି ଥିଲା (୫ଟି ଏସବିଆଇ ଏଟିଏମ, ୫ଟି ଅନ୍ୟ ବ୍ୟାଙ୍କର ଏଟିଏମ) । ଏହାପରେ କୌଣସି ନଗଦ ଉଠାଣ ପାଇଁ ୧୦ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଶୁଳକ ଲାଗୁ ହେବ । ସେହିପରି ଅଣଆର୍ଥିକ(ବାଲାନ୍ସ ଦେଖିବା, ପିନ ବଦଳାଇବା ଆଦି ) କାରବାର ପାଇଁ ୫ଟଙ୍କାରୁ ୮ଟଙ୍କା ପର୍ଯ୍ୟନ୍ତ ଶୁଳକ ଲାଗିବ ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଗ୍ରାହକଙ୍କ ସୁବିଧା ପାଇଁ ଅର୍ଥମନ୍ତ୍ରୀ ମାର୍ଚ୍ଚମାସରେ ଏଟିଏମ ସେବା ଉପରୁ ଶୁଳକ ଛାଡ଼ କରିଥିଲେ । ଏହା ଅନୁସାରେ ଜୁନ ୩୦ ପର୍ଯ୍ୟନ୍ତ ଗ୍ରାହକମାନେ ଯେ କୌଣସି ଏଟିଏମରୁ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ଉଠାଣ ବିନା ଶୁଳକରେ ଉଠାଣ କରିପାରୁଥିଲେ । ମାସକୁ ୫ ଥରରୁ ଅଧିକ ଥର ପାଇଁ ଟଙ୍କା ଉଠାଇଲେ ମଧ୍ୟ ଶୁଳକ ଲାଗୁ ହେଉନଥିଲା । କିନ୍ତୁ ଏବେ ଏହି ସମୟସୀମା ଶେଷ ହୋଇଥିବାରୁ ଏହି ସୁବିଧା ଏବେ ଆଉ ଉପଲବ୍ଧ ହେବ ନାହିଁ ।

ସମ୍ବନ୍ଧିତ ଖବର