ବେଙ୍ଗାଲୁରୁ: ନିଜ ପତି କି, ପତ୍ନୀଙ୍କୁ କିଂବା ଘନିଷ୍ଠ ବନ୍ଧୁବାନ୍ଧବଙ୍କୁ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ନିଜର ଡେବିଟ୍ କାର୍ଡ ଦେବା ମହଙ୍ଗା ପଡ଼ିପାରେ। ନିକଟ ଅତୀତରେ ମାଟର୍ଣ୍ଣିଟି ଲିଭ୍ରେ ଥିବା ଜଣେ ବେଙ୍ଗାଲୁରୁ ମହିଳା ଏ ଭଳି ଶିକ୍ଷା ଲାଭ କରିଛନ୍ତି।
ବ୍ୟାଙ୍କିଙ୍ଗ୍ ନିୟମ ନିର୍ଦ୍ଦିଷ୍ଟ ଭାବେ କହିଛି ଯେ ଏଟିଏମ୍ କାର୍ଡ ଟ୍ରାନସଫରେବଲ୍ ନୁହେଁ ଏବଂ ଆକାଉଣ୍ଟ୍ଧାରୀଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ ବ୍ୟବହାର କରିବା ଉଚିତ ନୁହେଁ।
୨୦୧୩ ମସିହା ନଭେମ୍ବର ୧୪, ତାରିଖ ଦିନ ମରାଥାହାଲ୍ଲି ବାସିନୀ ବନ୍ଦନା ନିଜ ଡେବିଟ୍ କାର୍ଡ ଓ ପିନ୍ ନମ୍ବର ସ୍ୱାମୀ ରାଜେଶ କୁମାରଙ୍କୁ ଦେଇଥିଲେ ସ୍ଥାନୀୟ ଏସ୍ବିଆଇ ଏଟିଏମ୍ରୁ ୨୫୦୦୦ ହଜାର ଟଙ୍କା ଉଠାଇବାକୁ। ରାଜେଶ ଏଟିଏମ୍କୁ ଯାଇ କାର୍ଡ ଓ୍ଵାଇପ୍ କଲେ; ଟଙ୍କା ଉଠା ଯାଇଥିବା ଦର୍ଶାଇ ମେସିନ୍ରୁ ସ୍ଲିପ୍ ବାହାରିଲା। କିନ୍ତୁ ଟଙ୍କା ବାହାରିଲା ନାହିଁ। ନନ୍-ଟ୍ରାନ୍ସଫରେବଲ୍ ନିୟମ ଦେଖାଇ ଏସ୍ବିଆଇ କହିଲା ଯେ ଆକାଉଣ୍ଟ୍ ହୋଲ୍ଡର୍ ଏଟିଏମ୍ ବ୍ୟବହାରକାରୀ ନ ହୋଇ ଥିବାରୁ ଟଙ୍କା ଦେଇ ହେବ ନାହିଁ।
ବନ୍ଦନା ଯାଇ ବାଙ୍ଗାଲୋରସ୍ଥିତ ଚତୁର୍ଥ ଆଡିସ୍ନାଲ୍ ଡିଷ୍ଟ୍ରିକ୍ଟ କଞ୍ଜୁମର୍ ଡିସ୍ପ୍ୟୁଟ୍ସ୍ ରିଡ୍ରେସାଲ୍ ଫୋରମ୍ରେ ୨୦୧୪ଅକ୍ଟୋବର ୨୧, ତାରିଖ ଦିନ ଆବେଦନ କଲେ। ତାଙ୍କର ଅଭିଯୋଗରେ ପୂର୍ବ ବର୍ଣ୍ଣିତ କଥା ଏଟିଏମ୍ ଟ୍ରାନ୍ଜାକ୍ସନ୍ରେ ହରାଇଥିବା ୨୫ ହଜାର ଟଙ୍କା ତାଙ୍କୁ ରିଫଣ୍ଡ୍ ମିଳିନାହିଁ। ସେ କହିଲେ କି, ସେତେବେଳେ ସେ ପ୍ରସବ କରିଥିବାରୁ ବାହାରକୁ ଆସି ପାରୁ ନ ଥିଲେ। ତେଣୁ ସ୍ୱାମୀଙ୍କୁ ଟଙ୍କା ଉଠାଇବା ପାଇଁ ପଠାଇଥିଲେ।
ବହୁ ଧାଅାଁଦୌଡ଼ କରି ସ୍ୱାମୀସ୍ତ୍ରୀ ଆଣିଥିବା ସିସିଟିଭି ଫୁଟେଜ୍ରେ ଦେଖାଯାଉଛି, କୁମାର ମେସିନ୍ ବ୍ୟବହାର କରୁଛନ୍ତି, କିନ୍ତୁ ଟଙ୍କା ବାହାରୁ ନାହିଁ। ସେମାନେ ବ୍ୟାଙ୍କ୍ରେ ଆବେଦନ କରିବା ପରେ ତଦନ୍ତ କମିଟି କହିଲା କି, କାର୍ଡଧାରୀ ବନ୍ଦନା ଫୁଟେଜ୍ରେ ଦିଶୁ ନାହାନ୍ତି। ତେଣୁ ଅର୍ଥ ଦେଇ ହେବ ନାହିଁ।
୨୦୧୮ ମେ ୨୯, ତାରିଖ ଦିନ କୋର୍ଟ ରାୟ ଶୁଣାଇଲେ କି, ୨୫୦୦୦ ଟଙ୍କା ଉଠାଇବା ପାଇଁ ବନ୍ଦନା ପିନ୍ ଦେବା ବଦଳରେ ଏକ ସେଲ୍ଫ୍ ଚେକ୍ ବା ଅଥରାଇଜେସନ୍ ଲେଟର୍ ଦେବା କଥା। ଶେଷରେ ଅଦାଲତ୍ ମାମଲା ଖାରଜ କରି ଦେଇଥିଲେ।