ନୂଆଦିଲ୍ଲୀ: ଦେଶ ଆଗକୁ ସାମନା କରିବାକୁ ଥିବା କୋଭିଡ୍-୧୯ ତୃତୀୟ ଲହର ସଂକ୍ରମଣ ବର୍ତ୍ତମାନର ଦ୍ବିତୀୟ ଲହର ପରି ଘାତକ ସାବ୍ୟସ୍ତ ହେବା ସହ ଏହା ସମଗ୍ର ଦେଶରେ ଦୀର୍ଘ ୯୮ ଦିନ ଧରି ବିଭୀଷିକା ରଚାଇବ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି। ତେବେ ଆବଶ୍ୟକ ମୁକାବିଲା ପ୍ରସ୍ତୁତି ସାଙ୍ଗକୁ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଏହି ତୃତୀୟ ଲହର ସଂକ୍ରମଣରେ ମୃତ୍ୟୁସଂଖ୍ୟା ଯଥେଷ୍ଟ କମିଯିବ ବୋଲି କୁହାଯାଇଛି। ଆନ୍ତର୍ଜାତିକ ଅଭିଜ୍ଞତାକୁ ଭିତ୍ତି କରି ଷ୍ଟେଟ୍ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ ଏପରି ଆକଳନ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଶୀର୍ଷ ଦେଶମାନଙ୍କ ପାଇଁ ଦ୍ବିତୀୟ ଲହରର ହାରାହାରି ଅବଧି ୧୦୮ ଦିନ ରହିଥିବା ବେଳେ ତୃତୀୟ ଲହରର ହାରାହାରି ଅବଧି ୯୮ ଦିନ ବୋଲି ଆକଳନ କରାଯାଇଛି। ସେହିପରି ଦ୍ବିତୀୟ ଲହରର ଶୀର୍ଷ ପ୍ରଥମ ଲହରର ୫.୨ ଗୁଣା(ଭାରତ ପାଇଁ ୪.୨ ଗୁଣା) ହୋଇଥିବା ବେଳେ ତୃତୀୟ ଲହରର ଶୀର୍ଷ ଦ୍ବିତୀୟର ୧.୮ ଗୁଣା ରହିବ ବୋଲି କୁହାଯାଇଛି। ଭାରତରେ ଦ୍ବିତୀୟ ଲହରର ପ୍ରାଦୁର୍ଭାବ ଫିକା ପଡ଼ି ଆସିବା ସହ ଦେଶବାସୀ ଏକ ସମ୍ବାବ୍ୟ ତୃତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ ମାନସିକ ପ୍ରସ୍ତୁତି ଚଳାଇଥିବା ବେଳେ ଷ୍ଟେଟ୍ବ୍ୟାଙ୍କର ଏହି ରିପୋର୍ଟ ବେଶ୍ ଗୁରୁତ୍ବ ବହନ କରୁଛି। ସୂଚନାଯୋଗ୍ୟ, ଭାରତରେ ଦ୍ବିତୀୟ ଲହର ସଂକ୍ରମଣ ଅଭୂତପୂର୍ବ କ୍ଷତି ଘଟାଇଛି। ଏପରିକି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪.୧୪ ଲକ୍ଷ ପରି ଉଚ୍ଚରେ ପହଞ୍ଚାଇବା ସହ କେବଳ ମେ' ମାସରେ ହିଁ ବିଶ୍ବର ସର୍ବାଧିକ ମାସିକ ସଂକ୍ରମଣ ଆଣିଦେଇଛି।
ମାସର ଦ୍ବିତୀୟାର୍ଦ୍ଧ ବେଳକୁ ଯଦିଓ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଛି, ତେବେ ତାହା ଏତେ ଉଚ୍ଚକୁ ଯାଇଥିଲା ଯେ ପୂର୍ବ ମାସିକ(ଏପ୍ରିଲ) ରେକର୍ଡ ୬୯.୪ ଲକ୍ଷ ଅପେକ୍ଷା ୩୦ ପ୍ରତିଶତ ଅଧିକ ରହିଛି। ସେହିପରି ଷ୍ଟେଟ୍ବ୍ୟାଙ୍କର ଏହି ରିପୋର୍ଟ ଅନୁଯାୟୀ, ତୃତୀୟ ଲହର ସଂକ୍ରମଣରେ ୪୦,୦୦୦ ମୃତ୍ୟୁ ଦେଖିବାକୁ ପଡ଼ିପାରେ ଯାହା ଦ୍ବିତୀୟ ଲହର ସଂକ୍ରମଣର ମୋଟ ୧.୭ ଲକ୍ଷ ସଂଖ୍ୟକ ମୃତ୍ୟୁଠାରୁ ଯଥେଷ୍ଟ କମ୍ ରହିବ। ସେହିପରି ଦ୍ବିତୀୟ ଲହର ବେଳେ ଗୁରୁତର ରୋଗୀଙ୍କ ଭାଗ ୨୦ ପ୍ରତିଶତ ହୋଇଥିବା ବେଳେ ତୃତୀୟ ଲହରରେ ମାତ୍ର ୫ ପ୍ରତିଶତ ଗୁରୁତର ରୋଗୀ ଦେଖାଦେବେ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/corona-2.jpg)