କୃଷି ଆନ୍ଦୋଳନ ମାମଲା : କୃଷକ ସଂଗଠନ ଉପସ୍ଥିତ ନ ରହିବାରୁ ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟ କୃଷକ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତାକୁ ବର୍ତ୍ତମାନ ଲାଗି ସ୍ଥଗିତ ରଖିବା ନେଇ ବିଚାର କରିବାକୁ କହିଛନ୍ତି। ଏଥିସହ ବିଚାର ସମୟରେ ଚାଷୀ ସଂଗଠନମାନେ ଉପସ୍ଥିତ ନ ଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ପୁଣି ଥରେ କୃଷକ ଏବଂ ସରକାରୀ ପକ୍ଷର ପ୍ରତିନିଧିଙ୍କୁ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଚାଷୀ ଆନ୍ଦୋଳନ ଜନିତ ସୃଷ୍ଟ ଅଚଳାବସ୍ଥାକୁ ଦୂର କରିବା ଲାଗି ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବ‌ୋବଡେ କହିଛନ୍ତି ଯେ,କୌଣସି କୃଷକ ସଙ୍ଗଠନ କୋର୍ଟରେ ଉପସ୍ଥିତ ନ ଥିବାରୁ ଏବଂ ଆଗକୁ ଶୀତକାଳୀନ ଛୁଟି ହେବାକୁ ଥିବାରୁ  ଅବସରକାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ତେବେ ଶୁଣାଣି ସମୟରେ ବିବାଦୀୟ କୃଷି ଆଇନକୁ କାର୍ଯ୍ୟକ୍ଷମ କରିବା ନେଇ ପୁଣି ଥ‌ରେ ବିଚାର କରିବାକୁ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ କହିଥିଲେ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି  ସରକାରଙ୍କ ପକ୍ଷରୁ ମତ ରଖିଥିଲେ ସଲିସିଟର ଜେନେରାଲ୍ । ମାତ୍ର ଅଦାଲତ ବିରକ୍ତି ପ୍ରକାଶ କରି ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତିକୁ ନ ଦୋହରାଇ ଏହି ପରାମର୍ଶ ଉପରେ ବିଚାର କରିବାକୁ କହିଥିଲେ। ଏହାପରେ ପରବର୍ତ୍ତୀ ଶୁଣାଣି ଲାଗି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ଚାଷୀ ସଂଗଠନକୁ ନୋଟିସ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ,ଗତକାଲି ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ, କେନ୍ଦ୍ର ସରକାର ଚାଷୀମାନଙ୍କର କ୍ଷତି ହେବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ। ଦିଲ୍ଲୀରେ ଚାଷୀଙ୍କ ଧାରଣା ଏକ ଜାତୀୟ ପ୍ରସଙ୍ଗ ହେବା ପୂର୍ବରୁ ଏହାର ସମାଧାନ ହେବା ଦରକାର। ଏଣୁ କୋର୍ଟ ମଧ୍ୟ କୃଷକଙ୍କ ପକ୍ଷ ଶୁଣିବାକୁ ଚାହୁଁଛନ୍ତି।

किसानों का आंदोलन लगातार जारी

ଆଜି ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବ‌ା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଓ ପଞ୍ଜାବ ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍ ମୁହାଁମୁହିଁ ହୋଇଥିଲେ। କୃଷକମାନେ ଦିଲ୍ଲୀକୁ ଆସିଥିବା ରାସ୍ତା ଅବରୋଧ କରିଛନ୍ତି, ମାସ୍କ ନ ପିନ୍ଧି କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି ଓ ଯାହାର ପରିଣତି ଭୟଙ୍କର ସଂକ୍ରମଣ ହୋଇପାରେ ବୋଲି ସଲିସିଟର ଜେନେରାଲ୍ କହିଥିଲେ। ଅନ୍ୟ ପକ୍ଷରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପି ଚିଦାମ୍ବରମ କହିଥିଲେ ଯେ, କୌଣସି କୃଷକ ସଂଗଠନ ରାସ୍ତା ଅବରୋଧ କରିନାହାନ୍ତି । ପ୍ରଶାସନ ଦ୍ୱାରା ରାସ୍ତା ବନ୍ଦ କରାଯାଇଛି। ତେବେ କେନ୍ଦ୍ର ସରକାର ଏବଂ ପଞ୍ଜାବ ସରକାରଙ୍କ ପକ୍ଷ ଶୁଣିଥିଲେ ମଧ୍ୟ କୃଷକ ସଂଗଠନର ପକ୍ଷ ନ ଶୁଣିବା ଯାଏ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି କହି ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ।

ଇତି ମଧ୍ୟରେ କୃଷକଙ୍କ  ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି । ୪ ଡିଗ୍ରି ତାପମାତ୍ରାରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନରେ ବସିଛନ୍ତି । ନା ସରକାର ତାଙ୍କ ଜିଦରୁ ଓହରୁଛନ୍ତି ନା କୃଷକ ।  କୃଷକଙ୍କ ଆନ୍ଦୋଳନ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ବୁଧବାର ଏହାର ଶୁଣାଣି ହୋଇଥିବା ବେଳେ ଆଜି ପୁଣି ଶୁଣାଣି  ହୋଇଛି । କିନ୍ତୁ ଆଜି କୌଣସି ନିଷ୍ପତ୍ତି ଶୁଣାଇବା ପରିବର୍ତ୍ତେ ସୁପ୍ରିମକୋର୍ଟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର