ସୁପ୍ରିମ୍‌କୋର୍ଟରେ ମାମଲାର ବିଚାର ପାଇଁ ଅନୁସୃତ ହେବ ‘ରୋଷ୍ଟର’ ପଦ୍ଧତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟରେ ଆଗତ ହେଉଥିବା ମାମଲାଗୁଡ଼ିର ବିଚାର ପାଇଁ ଏଣିକି ‘ରୋଷ୍ଟର’ (ଦାୟିତ୍ୱ ବଣ୍ଟନର ଯୋଜନାବଦ୍ଧ ତାଲିକା ପ୍ରସ୍ତୁତ) ପଦ୍ଧତି ଅନୁସୃତ ହେବ। ଏବଂ ସେହି ଆଧାରରେ ମାମଲାଗୁଡ଼ିକର ବିଚାର ପାଇଁ ବିଚାରପତିମାନଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଆଜି ମୁଖ୍ୟବିଚାରପତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେବଳ ମାତ୍ର ଆଗତ ହେଉଥିବା ସମସ୍ତ ଜନସ୍ୱାର୍ଥ ସମ୍ବଳିତ ମାମଲା(ପିଆଇଏଲ୍‌)ଗୁଡ଼ିକ ସିଧାସଳଖ ମୁଖ୍ୟବିଚାରପତିଙ୍କ ନିକଟକୁ ବିଚାର ପାଇଁ ଯିବ। ଆସନ୍ତା ୫ ତାରଖ ସୋମବାର ଠାରୁ ଏହି ନୂତନ ବ୍ୟବସ୍ଥା ଅନୁସୃତ ହେବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୨ ତାରିଖରେ ସୁପ୍ରିମ୍‌କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଜେ ଚେଲ୍‌ମେଶ୍ୱର, ରଞ୍ଜନ ଗୋଗେଇ, ଏମ୍‌ ବି ଲୋକୁର ଓ କୁରିଅନ୍‌ ଯୋସେଫ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମ୍‌କୋର୍ଟରେ ବିଚାର ପାଇଁ ବଣ୍ଟନ କରା ଯାଉଥିବାବେଳେ ଅନିୟମତତା ହେଉଥିବା ଏବଂ ଜନସ୍ୱାର୍ଥ ସମ୍ବଳିତ ମାମଲା(ପିଆଇଏଲ୍‌)ଗୁଡ଼ିକୁ ବିଚାର ପାଇଁ ବରିଷ୍ଠ ବିଚାରପତିଙ୍କ ବଦଳରେ କନିଷ୍ଠ ବିଚାରପତିମାନଙ୍କୁ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ। ଏହି ଘଟଣା ପରେ ମୁଖ୍ୟ ବିଚାରପତି ଆଜି ସୁପ୍ରିମ୍‌କୋର୍ଟରେ ମାମଲାର ବିଚାର ପାଇଁ ଏହି ପ୍ରଥା ଅନୁସୃତ ହେବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର