ନୂଆଦିଲ୍ଲୀ: ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ବହୁବିବାହ ଓ ନିକାହଲାଲା ପ୍ରଥା ବିରୋଧରେ ଆଗତ ଗୁଡ଼ାଏ ଆବେଦନର ଶୁଣାଣି ପାଇଁ ବିଚାର କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି। ଚୂଡ଼ାନ୍ତ ବିଚାର ପାଇଁ ପାଞ୍ଚଜଣିଆ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠଙ୍କ ଆଗରେ ଆବେଦନ ପତ୍ରଗୁଡ଼ିକ ତାଲିକାଭୁକ୍ତ ହେବା କଥା ବୋଲି ବରିଷ୍ଠ ଆଡ୍‌ଭୋକେଟ୍‌ ଭି ଚନ୍ଦ୍ରଶେଖର କରିଥିବା ଆବେଦନକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ ଏମ୍‌ ଖାନଓ୍ଵିଲ୍‌କର୍‌ ଏବଂ ଓ୍ଵାଇ ଡି ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରି କହିଛନ୍ତି।

ଆମେ ଏ କଥା ବୁଝିବୁ ବୋଲି କହିଛନ୍ତି ଖଣ୍ଡପୀଠ।

Advertisment

ଅନ୍ୟତମ ଆବେଦନକାରୀ ଦିଲ୍ଲୀର ସମୀନା ବେଗମ୍‌ଙ୍କ ତରଫରୁ ହାଜର ହୋଇ ଶେଖର ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟ ଅଭିଯୋଗ କରିଥିଲେ କି, ମୁସଲମାନଙ୍କ ମଧ୍ୟରେ ପ୍ରଚଳିତ ନିକା ହଲାଲା ଏବଂ ବହୁବିବାହକୁ ଚାଲେଞ୍ଜ କରି ତାଙ୍କ ମହକିଲ କରିଥିବା ଆବେଦନକୁ ଫେରସ୍ତ ଆଣିବାକୁ ଧମକ ଦିଆଯାଉଛି।

ଏହି ମାମଲାରେ ଏକ ପିଟିସନ୍‌ ଫାଇଲ୍‌ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ ଅନୁମତି ଦେଇ ସାରିଛନ୍ତି।