ଜେଲରୁ ମୁକୁଳିବା ପାଇଁ ନଓ୍ଵାବ ମଲିକଙ୍କ ଆବେଦନର ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତୁରନ୍ତ ଜେଲରୁ ମୁକ୍ତ ହେବା ପାଇଁ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ଵାବ ମଲ୍ଲିକ ସୁପ୍ରିମ କୋର୍ଟରେ ଆଗତ କରିଥିବା ଆବେଦନର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଏଥିସହ ଶୁଣାଣି ପାଇଁ ଏହି ମାମଲାକୁ ତାଲିକା ଭୁକ୍ତ କରିବାକୁ ବୁଧବାର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଏକ ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ଵାବ ମଲ୍ଲିକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ଆବେଦନକୁ ଜରୁରୀ ଶୁଣାଣି ପାଇଁ ତାଲିକା ଭୁକ୍ତ କରିବାକୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ। ଆଇନଜୀବୀ କପିଲ ସିବଲଙ୍କ ଯୁକ୍ତି ଶୁୁଣିବା ପରେ ଖଣ୍ଡପୀଠ ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଜେଲରେ ଥିବା ନେତାଙ୍କ ସମସ୍ତ ଦସ୍ତାବିଜ ପ୍ରଦାନ କରିବାକୁ କହିଥିଲେ। ପରେ, ଜଷ୍ଟିସ୍‌ କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦୟାକରି ମାମଲା ସଂପର୍କିତ କାଗଜପତ୍ର ଦିଅନ୍ତୁ।

ମନି ଲଣ୍ଡରିଂ ନିବାରଣ ଆଇନ ୨୦୦୫ରେ ପ୍ରଣୟନ ହୋଇଥିଲା ଏବଂ ୨୦୦୦ ପୂର୍ବରୁ ହୋଇଥିବା ଏକ କଥିତ ଅପରାଧ ପାଇଁ ମନ୍ତ୍ରୀଙ୍କୁ ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଅଭିଯୁକ୍ତ ଘୋଷଣା କରି ଜେଲରେ ରଖାଯାଇଛି ବୋଲି ଆଇନ୍‌ଜୀବୀ ସିବଲ ଯୁକ୍ତି ବାଢ଼ିଥିଲେ। ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ସହଯୋଗୀଙ୍କ ସହ ଜଡିତ ଏକ ସମ୍ପତ୍ତି ଚୁକ୍ତିକୁ ନେଇ ମଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଗିରଫ ହେବାର କିଛି ସମୟ ପରେ ମନ୍ତ୍ରୀ ତାଙ୍କ ଗିରଫଦାରୀ ଏବଂ ରିମାଣ୍ଡ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ହେବିୟସ୍‌ କର୍ପସ୍‌ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର