ନୂଆଦିଲ୍ଲୀ: କୋଭିଡ୍-୧୯ ପରିସ୍ଥିତି ପ୍ରତି ଧ୍ୟାନ ଦେଇ ନ୍ୟାୟପାଳିକା ବ୍ୟାପାରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢ଼ାଇବାକୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ସ୍ଥିର କରି ନିର୍ଦେଶ ଦେଇଛନ୍ତି ଯେ, ଏବେ ଇ-ମେଲ୍, ଫ୍ୟାକ୍ସ୍, ହ୍ବାଟ୍ସ୍ଆପ୍ ଏବଂ ଟେଲିଗ୍ରାମ୍ ଭଳି ଇନ୍ଷ୍ଟାଣ୍ଟ୍ ମେସେଞ୍ଜର୍ ସର୍ଭିସ୍ରେ କୋର୍ଟ ସମନ୍ ଓ ନୋଟିସ୍ ପଠାଯାଇ ପାରିବ।
ସୁପ୍ରିମ୍ କୋର୍ଟ ଆହୁରି କହିଛନ୍ତି ଯେ, ପ୍ରାପକ ନୋଟିସ୍ ଦେଖିଛନ୍ତି ବୋଲି ଦୁଇଟି ନୀଳ ରଙ୍ଗର ଟିକ୍ ଚିହ୍ନରୁ ଜାଣି ହେବ। ଏହିସବୁ ଇନ୍ଷ୍ଟାଣ୍ଟ୍ ମେସେଞ୍ଜର୍ ସର୍ଭିସ୍ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଇ-ମେଲ୍ ରେକର୍ଡଭୁକ୍ତ କରିବା ପାଇଁ ଯତ୍ନବାନ ହେବା ଉଚିତ।
ପ୍ରଧାନ ବିଚାରପତି ଶରଦ୍ ଅରବିନ୍ଦ ବୋବଡ଼େ ଏବଂ ବିଚାରପତି ଆର୍ ସୁଭାଷ ରେଡ୍ଡୀ ଏବଂ ଏ ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ କେ. କେ. ବେଣୁଗୋପାଳ ଆବେଦନ ଫାଇଲ୍ କରିଥିଲେ। ଖଣ୍ଡପୀଠ କହିଲେ ଯେ, ଲକ୍ଡାଉନ୍ ଯୋଗୁଁ ନୋଟିସ୍, ସମନ୍ ଏବଂ ପ୍ଲିଡିଙ୍ଗ୍ ଆଦି ପୋଷ୍ଟ୍ ଅଫିସ୍କୁ ଯାଇ ପଠାଇବା ସମ୍ଭବ ହେଉ ନ ଥିବାରୁ ଇ-ମେଲ୍, ଫ୍ୟାକ୍ସ୍ କିଂବା ଇନ୍ଷ୍ଟାଣ୍ଟ୍ ମେସେଜ୍ ସର୍ଭିସ୍ ଜରିଆରେ ଏସବୁ ପଠାଇବାକୁ ଆମେ ନିର୍ଦେଶ ଦେଉଛୁ।
ଏହାଛଡ଼ା ଲକ୍ଡାଉନ୍ କାରଣରୁ ସମୟସୀମା ଅତିକ୍ରାନ୍ତ କରିଯାଇଥିବା କୌଣସି ଚେକ୍ର ବୈଧ୍ୟତା ସମୟସୀମା ମଧ୍ୟ ବଢ଼ାଇବାକୁ ସୁପ୍ରିମ୍ କୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ୍କୁ ଅନୁମତି ଦେଇଛନ୍ତି। ସୁବିଧାମତେ ରିଜର୍ଭ ବ୍ୟାଙ୍କ୍ ଯେକୌଣସି ଚେକ୍ର ବୈଧ୍ୟତା ସମୟସୀମା ବଢ଼ାଇ ପାରିବ।