କୋଇଡ଼ା ଖଣି ପାଇଁ ଏସେଲ୍‌କୁ ଅନୁମତି

୨୪ରେ ହେବ ସିରାଜୁଦ୍ଦିନ ମାଇନ୍ସ ଶୁଣାଣି

ନୂଆଦିଲ୍ଲୀ : ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଖଣି ଜରିମାନା ଅର୍ଥ ସମ୍ପୂର୍ଣ୍ଣ ଦାଖଲ କରିଥିବା ନେଇ ଆମିକସ୍‌ କ୍ୟୁରି ଏଡି ଏନ୍‌ ରାଓଙ୍କ ନିକଟରୁ ତଥ୍ୟ ମିଳିବା ପରେ କୋଏଡ଼ା ଖଣି ଖୋଲିବା ନେଇ ଆଜି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଖଣି ଜରିମାନା ତଥା ବନ୍ଦ ଖଣି ଖୋଲିବାର ଅନୁମତି ସମ୍ପର୍କିତ ମାମଲାର ବିଚାର କରି ଆଜି ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସେହିଭଳି ସିରାଜୁଦ୍ଦିନ ମାଇନ୍ସ ସମସ୍ତ ଜରିମାନା ପୈଠ କରିଥିବାରୁ ଖଣି ଖୋଲିବା ପାଇଁ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରାଯାଇଥିଲା ବେଳେ ଏହାର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ ସିରାଜୁଦ୍ଦିନ ଖଣି ସମ୍ପର୍କରେ ଅବଗତ କରିବେ ବୋଲି କହିବା ପରେ ଏହି ମାମଲାର ଶୁଣାଣି ଘୁଞ୍ଚିଥିଲା। ଆର୍‌.ପି.ସାଓ ଖଣି ଜରିମାନାର କିଛି ଅର୍ଥ ପୈଠ କରିଥିବାରୁ ଖଣି ଖୋଲିବାର ଅନୁମତି ପ୍ରଦାନ କରାଯାଉ ବୋଲି ଖଣ୍ଡପୀଠଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଅର୍ଥ ସୁଧ ସହ ପୈଠ କରିବା ପରେ ଯାଇ ଖଣି ଖୋଲିବା ଅନୁମତି ମିଳିବ ନା ନାହିଁ ସେନେଇ ବିଚାର କରାଯିବ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର