ନୂଆଦିଲ୍ଲୀ: ଜଣେ ମହିଳା ଓ ତାଙ୍କ ୨୫ ସପ୍ତାହର ଭ୍ରୂଣର ସ୍ୱାସ୍ଥ୍ୟାବସ୍ଥାର ମୂଲ୍ୟାଙ୍କନ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ସୁପ୍ରିମକୋର୍ଟ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ)କୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ଅନଟନକୁ ଏହି ନିଷ୍ପତ୍ତିର ମୁଖ୍ୟ କାରଣ ଦର୍ଶାଇ ଗର୍ଭପାତ ପାଇଁ ଅନୁରୋଧ କରିଛନ୍ତି ମହିଳା। ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମେ’ ୨୭ ତାରିଖ ସୁଦ୍ଧା ମେଡିକାଲ ବୋର୍ଡ ଏହାର ରିପୋର୍ଟ ଦାଖଲ କରିବାକୁ କୋର୍ଟ ଜାରି ନିର୍ଦ୍ଦେଶରେ କହିଛନ୍ତି।

Advertisment

ଏହି ନ୍ୟାୟିକ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିବା ମହିଳା ଜଣକ ପ୍ରକାଶ କରିଛନ୍ତି ଯେ ସେ କେବଳ ମେ ୧୭ରେ ତାଙ୍କ ଗର୍ଭଧାରଣ ବିଷୟରେ ଅବଗତ ହୋଇଥିଲେ। ସମ୍ପୂର୍ଣ୍ଣ ଡାକ୍ତରୀ ମୂଲ୍ୟାୟନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ଉଦ୍ଦେଶ୍ୟ ହେଉଛି ଯେ କୌଣସି ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ମହିଳାଙ୍କ ସ୍ୱାସ୍ଥ୍ୟର ସମସ୍ତ ଦିଗ ଏବଂ ଭ୍ରୂଣର ଅବସ୍ଥାକୁ ଯତ୍ନବାନ ଭାବରେ ବିଚାରକୁ ସୁନିଶ୍ଚିତ କରିବା।

ମହିଳା ଜଣଙ୍କ ଦୁବାଇରୁ ଆସି ଦିଲ୍ଲୀର ଏକ ହୋଟେଲରେ ରହୁଛନ୍ତି। ସେ ଆର୍ଥିକ ଦୃଷ୍ଟିରୁ ସେତେଟା ଶକ୍ତିଶାଳୀ ନୁହଁନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି ଏବଂ ତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଆସନ୍ତା ସୋମବାର ଏହି ମାମଲାର ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ଗର୍ଭପାତ ଆଇନ (ଏମ୍‌ଟିପ ଆକ୍ଟ) ଅନୁଯାୟୀ, ୨୪ ସପ୍ତାହରୁ ଅଧିକ ବୟସର ଭ୍ରୂଣକୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇପାରିବ ଯଦି କୌଣସି ଡାକ୍ତରୀ ବୋର୍ଡ ଦ୍ୱାରା ନିର୍ଣ୍ଣୟ କରାଯାଇଥିବା ଯଥେଷ୍ଟ ଭ୍ରୁଣ ଅସ୍ୱାଭାବିକତା କ୍ଷେତ୍ରରେ କିମ୍ବା ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ଜଣେ ମହିଳାଙ୍କ ୨୬ ସପ୍ତାହର ଗର୍ଭପାତ କରିବାକୁ ମନା କରି ଦେଇଥିଲେ। ସେ ପୋଷ୍ଟ ପାର୍ଟମ୍‌ ସାଇକୋସିସ୍‌ ନାମକ ଏକ ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଇ ଏହି ଗର୍ଭପାତ ପାଇଁ ଅନୁମତି ମାଗିଥିଲେ।