ମହାନଦୀ ଜଳ ବିବାଦ: ୧ ମାସ ମଧ୍ୟରେ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ଏ ନେଇ ବିଜ୍ଞପ୍ତି ଜାରିି କରିବାକୁ ସୁପ୍ରିମକୋର୍ଟରେି ବିଚାରପତି ଏସ୍‌ ଏ ବବଦେ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ସୋଲିସିଟର ଜେନେରାଲ ଅାତ୍ମାରାମ୍ ନାଦକର୍ଣ୍ଣି  ଆଲୋଚନା ଜରିଆରେ ବିବାଦର ସମାଧାନ ନେଇ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିଲାଗି ଦୁଇମାସ ସମୟ ଦିଅାଯାଉ ବୋଲି ସେ ନିବେଦନ କରିଥିଲେ। ମାତ୍ର ବିଚାରପତି ବବଦେ ଓ ବିଚାରପତି  ରାଓ ଏହାକୁ ଗ୍ରହଣ ନ କରି ଟ୍ରିବୁନାଲ୍ ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ ବିନା ମହାନଦୀ ବିବାଦର ସମାଧାନ ହେବ ନାହିଁ  ବୋଲି ଓଡିଶା ପକ୍ଷରୁ ଲଢ଼ୁଥିବା ଅାଇନଜୀବୀ ମୁକୁଲ୍ ରୋହତଗୀ ଖଣ୍ଡପୀଠ ନିକଟରେ ଜୋରସୋର ଯୁକ୍ତି ଉପସ୍ଥାପନା କରିଥିଲେ।

ସୂଚନାଯୋଗ୍ୟ ଯେ ମହାନଦୀ ଜଳ ବିବାଦ ନେଇ ଉଭୟ ଛତିଶଗଡ଼ ଓ ଓଡ଼ିଶା ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଗତ ୧୬ ତାରିଖରେ ଛତିଶଗଡ଼ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ଯେ ମହାନଦୀ ଜଳବିବାଦ ମାମଲାର ସମାଧନ ପାଇଁ ୧୯୮୩ ଏପ୍ରିଲ୍‌ ୨୮ ତାରିଖ ଚୁକ୍ତିନାମାର ସ୍ମାରକପତ୍ର ଅନ୍ତର୍ଗତ ୧୧ ନଂ ଧାରା ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ହେଉ। ବିବାଦର ଅପୋଷ ସମାଧାନ ପାଇଁ ଛତିଶଗଡ଼ ଆଗ୍ରହୀ ଥିବା ବେଳେ ଟ୍ରିବ୍ୟୁନାଲ ପାଇଁ ଓଡ଼ିଶା ଅରିଜିନାଲ ସୁଟ ଏହି ବୁଝାମଣାର ଉଲ୍ଲଂଘନ ବୋଲି ଛତିଶଗଡ଼ ଦର୍ଶାଇଛି।
ଅପରପକ୍ଷେ, ଓଡ଼ିଶା କହିଛି ଯେ ବୁଝାମଣା କେବଳ ଯୁଗ୍ମ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା। ମହାନଦୀ ଜଳବିବାଦ ସମ୍ପର୍କରେ ଯେଉଁ ଅଭିଯୋଗ ପିଟିସନ ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିଲା ତାହା ଉପରୋକ୍ତ ପ୍ରସଙ୍ଗର ଅଂଶ ବିଶେଷ ନଥିଲା। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ କେବଳ ୪ଟି ଯୁଗ୍ମ ପ୍ରକଳ୍ପରେ ସୀମିତ ଥିଲା। ବୁଝାମଣାର ଧାରା ୧୧କୁ ନେଇ ଛତିଶଗଡ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛିି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଆଳରେ କେବଳ ଟ୍ରିବ୍ୟୁନାଲ ଗଠନର ସାମ୍ବିଧାନିକ ଅଧିକାରରୁ ଓଡ଼ିଶାକୁ ବଞ୍ଚିତା କରିବା ଛତିଶଗଡ଼ ଅଭିଯାନ ଚଳାଇଛି। ତେଣୁ ଟ୍ରିବୁନାଲ ବିନା ମହାନଦୀ ବିବାଦର ସମାଧାନ ସମ୍ଭବ ନୁହେଁ ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ବିଚାରପତି ଏସ୍‌ ଏ ବବଦେ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଟ୍ରବୁନାଲ ଗଠନ ସପକ୍ଷରେ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର