କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସବେତନ କ୍ୱାରେଣ୍ଟିନ୍‌ ସୁବିଧା ପ୍ରଦାନ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରକୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରଙ୍କୁ ତୁରନ୍ତ କ୍ୱାରେଣ୍ଟିନ୍‌ ବାବଦରେ କଟା ଯାଇଥିବା ଦରମା ରାଶିକୁ ପ୍ରଦାନ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କୁ ଆଜି କହିଛନ୍ତି ସୁପ୍ରିମ୍‌ କୋର୍ଟ। ବୁଧବାର ସୁପ୍ରିମ୍‌ କୋର୍ଟ କେନ୍ଦ୍ରକୁ ବେତନ ପ୍ରଦାନ ତଥା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ସବେତନ ଆବଶ୍ୟକ କ୍ୱାରେଣ୍ଟିନ୍‌ ସୁବିଧା ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ ଜଷ୍ଟିସ୍‌ ଏମ୍‌ ଆର ଶାହାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ କ୍ୱାରେଣ୍ଟିନ୍‌ ସୁବିଧାକୁ ବାରଣ କରିବା ଉଚିତ୍‌ ନୁହେଁ। କୋଭିଡ୍‌- ୧୯ ଚିକିତ୍ସା ପ୍ରଦାନ ପାଇଁ ନିଯୁକ୍ତ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ସବେତନ କ୍ୱାରେଣ୍ଟିନ ସୁବିଧା ପ୍ରଦାନ ଉପରେ ଚାରି ସପ୍ତାହ ମଧ୍ୟରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଶୀର୍ଷ କୋର୍ଟ କେନ୍ଦ୍ରକୁ କହିଛନ୍ତି। ଏବଂ ଯେଉଁ ରାଜ୍ୟମାନେ ଏହାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।
ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପାଇଁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଦରମା ଠିକ୍‌ ସମୟରେ ପ୍ରଦାନ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେବେ। ଏଥିସହ ସେ କହିଛନ୍ତି ଯେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି)ରେ ମଧ୍ୟ ପରିବର୍ତ୍ତନ କରାଯିବ।

ସମ୍ବନ୍ଧିତ ଖବର