ଟିକା ଉପଲବ୍ଧ ନହେବା ପର୍ଯ୍ୟନ୍ତ କୋଭିଡ୍‌-୧୯ ନିୟମକୁ କଠୋର କରି କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ମହାମାରୀ କରୋନାଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇ ଚାଲିଥିବା ବେଳେ ଲୋକମାନେ ଯେପରି ଢ଼ଙ୍ଗରେ କୋଭିଡ୍‌- ୧୯ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି, ସେଥିନେଇ ଆଜି ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ।

ସୁପ୍ରିମ୍‌ କୋର୍ଟର ନ୍ୟାୟମୂର୍ତ୍ତି ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଆର.ଏସ୍‌ ରେଡ୍ଡୀ ଏବଂ ଜଷ୍ଟିସ୍‌ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି (ଶୁକ୍ରବାର) କହିଛନ୍ତି, ‘ଆମେ ଦେଖୁଛୁ! ଏ ପରିସ୍ଥିତିରେବି ଦେଶରେ ଦୈନନ୍ଦିନ ଉତ୍ସବ ପାଳିତ ହେଉଛି, ରାଜରାସ୍ତାରେ ଶୋଭାଯାତ୍ରା ବାହାରୁଛି, ୬୦ ପ୍ରତିଶତ ଲୋକଙ୍କ ମୁହଁରେ କୌଣସି ମାସ୍କ ନାହିଁ, ୩୦ ପ୍ରତିଶତ ଲୋକଙ୍କର ମାସ୍କ ଥୋଡ଼ିରେ ଝୁଲୁଛି… ଏସବୁ କ’ଣ ଚାଲିଛି?’ ଏପରିସ୍ଥିତିରେ କିଛି କଠୋର ପଦକ୍ଷେପ ନେବା ସମୟ ଆସିଛି। ନଭେମ୍ବର ଠାରୁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଯଦି କୌଣସି କଠୋର ପଦକ୍ଷେପ ନିଆ ନ ଯାଏ ତେବେ କେନ୍ଦ୍ର ଦ୍ୱାରା ନିଆଯାଇଥିବା ସମସ୍ତ ଉଦ୍ୟମ ବୃଥା ଯିବ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି।

ଏ ପରିସ୍ଥିତିରେ କରୋନାଭାଇରସ୍‌ ପ୍ରତିଷେଧକ ଟିକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ଲାଗୁ ହୋଇଥିବା ସମସ୍ତ କୋଭିଡ୍‌-୧୯ ନିୟମକୁ କଡାକଡି ଓ କଠୋର ଭାବେ ପାଳନ କରିବା ଓ ପାଳନକୁ ନିଶ୍ଚିତ କରିବା ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ କରିବା ସହ ସମସ୍ତ କୋଭିଡ୍‌-୧୯ ନିୟମ, ନିର୍ଦ୍ଦେଶାବଳୀ ଏବଂ ମାନକ ଅପରେଟିଂ ପ୍ରଣାଳୀ (ଏସ୍‌ଓପି)କୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀ କାରୋନାର ମୁକାବିଲା ପାଇଁ ଯଦି କୋଭିଡ୍‌-୧୯ ନିୟମାବଳୀକୁ ଆହୁରି କଠୋର କରିବାର ଆବଶ୍ୟକତା ପଡ଼ୁଛି ତେବେ କେନ୍ଦ୍ର କଠୋର ପଦକ୍ଷେପ ଗ୍ରହଣ କରିବା ସହ ସମଗ୍ର ଦେଶ ପାଇଁ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହି ପରିସ୍ଥିତିର ମୁକାବିଲା ପାଇଁ କଡ଼ା ପଦକ୍ଷେପ ନିଆଯିବା ଆବଶ୍ୟକ। ଏବଂ ମହାମାରୀ ସଙ୍କଟକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ରାଜନୀତିର ଉପରକୁ ଉଠିବାକୁ ପଡ଼ିବ ବୋଲି ଏହି ଅବସରରେ ଚେତାଇ ଦେଇଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

ସମ୍ବନ୍ଧିତ ଖବର