ନୂଆଦିଲ୍ଲୀ: ଲଖିମ୍ପୁର ହିଂସାକାଣ୍ଡରେ କେଉଁମାନେ ଅଭିଯୁକ୍ତ, କେଉଁମାନଙ୍କ ବିରୋଧରେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି ହୋଇଛି ଏବଂ କେଉଁମାନଙ୍କୁ ଗିରଫ କରାଯାଇଛି, ସେ ସଂକ୍ରାନ୍ତରେ ଆଗାମୀକାଲି ସୁଦ୍ଧା ‘ଷ୍ଟାଟସ୍ ରିପୋର୍ଟ’ ଦାଖଲ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଆଦେଶ ଦେଇଛନ୍ତି।
ଜନସ୍ୱାର୍ଥ ମାମଲା ହେବା ପରିବର୍ତ୍ତେ ଉକ୍ତ ମାମଲା କେମତି ‘ସୁଅ ମୋଟୋ’ (ଅଦାଲତ ନିଜେ ମାମଲା ରୁଜୁ କରିବା) ହେଲା ତାହା ବୁଝାଇବାକୁ ଯାଇ ଭାରତର ପ୍ରଧାନ ବିଚାରପତି ରମନା କହିଲେ, ମଙ୍ଗଳବାର ଦିନ ଦୁଇଜଣ ଆଡ୍ଭୋକେଟ୍ ଅଦାଲତଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ରକୁ ଜନସ୍ୱାର୍ଥ ମାମଲା ଭାବେ ପଞ୍ଜିକରଣ କରିବା ଲାଗି ଆମେ ଆମ ରେଜିଷ୍ଟ୍ରିଙ୍କୁ ନିର୍ଦେଶ ଦେଇଥିଲୁ। କିନ୍ତୁ, ବୁଝାମଣାରେ ସମନ୍ଵୟ ଅଭାବ ହେତୁ ସେମାନେ ଏହାକୁ ‘ସୁଅ ମୋଟୋ’ ଭାବେ ପଞ୍ଜିକୃତ କରିଦେଲେ।
ଭାରତର ପ୍ରଧାନ ବିଚାରପତି ଏନ୍ଭି ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।
‘ଷ୍ଟାଟସ୍ ରିପୋର୍ଟ’ରେ ଉପରୋକ୍ତ ପ୍ରସଙ୍ଗ ସବୁକୁ ବୁଝାଇ ଦେବା ପାଇଁ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ନିର୍ଦେଶ ଦେଇଛନ୍ତି।
ଏହାଛଡ଼ା, ମୃତ କୃଷକ ଲଭ୍ପ୍ରୀତ୍ ସିଂହଙ୍କ ମାଆଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ଡାକ୍ତରୀ ସହାୟତା ଯୋଗାଇ ଦେବା ପାଇଁ ସୁପ୍ରିମ୍ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଆଦେଶ ଦେଇଛନ୍ତି। ପୁଅର ମୃତ୍ୟୁ କଥା ଶୁଣି ସେ ଅସୁସ୍ଥ ହୋଇପଡ଼ିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଖଣ୍ଡପୀଠଙ୍କୁ କହିଲେ କି, ଘଟଣାର ତଦନ୍ତ ପାଇଁ ଏକ ‘ଜୁଡିସିଆଲ୍ କମିସନ୍’ ଗଠିତ ହୋଇଛି ଏବଂ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ‘ଷ୍ଟାଟସ୍ ରିପୋର୍ଟ’ ଫାଇଲ୍ କରିବେ।
ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରିବା ଲାଗି ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।