ଦୁର୍ଘଟଣା ପୀଡ଼ିତାଙ୍କୁ ସୁପ୍ରିମ କୋର୍ଟଙ୍କ ୧ କୋଟି ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆଜିକୁ ଦୀର୍ଘ ୧୦ ବର୍ଷ ତଳେ ପଞ୍ଜାବର ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଘଟିଥିବା ଏକ ଦୁର୍ଘଟଣା ମାମଲାରେ ପୀଡ଼ିତାଙ୍କୁ ସୁପ୍ରିମ୍‌ କୋର୍ଟ ୧ କୋଟି ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୦୭ ଅକ୍ଟୋବର ୧୮ରେ ପଞ୍ଜାବର କାଜଲ ନାମକ ଜଣେ ୧୨ ବର୍ଷୀୟା ନାବାଳିକା ନିଜ ବାପାଙ୍କ ସହ ଏକ ଟ୍ରାକ୍ଟରରେ ଯାଉଥିବାବେଳେ ‌ଅପର ପାର୍ଶ୍ବରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା ଓ ସେ କୋମାକୁ ଚାଲିଯାଇଥିଲେ। ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ପରେ ‌ସେ ଜୀବନ ଫେରି ପାଇଲେ। ମାତ୍ର, ଦୁର୍ଘଟଣା ପରର ଜୀବନ ତାଙ୍କ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ପାଲଟି ଯାଇଥିଲା। ଦୁର୍ଘଟଣା ପରଠାରୁ ତାଙ୍କର ଶାରୀରିକ ବିକାଶ ଘଟୁଥିଲେ ମଧ୍ୟ ମାନସିକ ସ୍ତରରେ କୌଣସି ବିକାଶ ପରିଲକ୍ଷିତ ହେଲା ନାହିଁ। କାଜଲ ବର୍ତ୍ତମାନ ୨୪ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ମାନସିକ ସ୍ତରରେ ସେ କେବଳ ୯ ମାସର ଶିଶୁଟିଏ ହୋଇ ରହିଯାଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, କାଜଲ ସାରା ଜୀବନ ୯ ମାସର ଶିଶୁଟିଏ ଭଳି ବ୍ୟବହାର କରିବେ। କାଜଲଙ୍କ ଏଭଳି ଦାରୁଣ ଦୁର୍ଘଟଣା ମାମଲାରେ ସୁପ୍ରିମ କୋର୍ଟ ବିଚାର କରି ପୀଡ଼ିତାଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର