ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ବିଆର୍ ଗୱାଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମଙ୍ଗଳବାର ଅପରାହ୍ଣରେ ରାଷ୍ଟ୍ରପତିଙ୍କ ରେଫରେନ୍ସର ଶୁଣାଣି ସମୟରେ କହିଛନ୍ତି ଯେ, ଏପ୍ରିଲ ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳଙ୍କୁ ରାଜ୍ୟମାନଙ୍କ ଦ୍ୱାରା ପାରିତ ବିଲ୍କୁ ମଞ୍ଜୁରି ଦେବା ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ଆଦେଶକୁ ସୁପ୍ରିମ୍କୋର୍ଟ ରଦ୍ଦ କରିବେ ନାହିଁ।
ପ୍ରଧାନ ବିଚାରପତି କହିଛନ୍ତି ଯେ ଅଦାଲତ କେବଳ ପରାମର୍ଶଦାତା ଭୂମିକାରେ କାର୍ଯ୍ୟ କରିବେ ଏବଂ ତାମିଲନାଡୁର ଶାସକ ଡିଏମ୍କେ ଓ ରାଜ୍ୟପାଳ ଆର୍ଏନ୍ ରବିଙ୍କ ସହ ଜଡିତ ମାମଲା ଉପରେ ଅପିଲରେ ବସିବେ ନାହିଁ।
ଏପ୍ରିଲ ୧୨ରେ ସୁପ୍ରିମ୍କୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ରାଜ୍ୟପାଳ ରବିଙ୍କ ଏହି ସଂକ୍ରାନ୍ତ କାର୍ଯ୍ୟ ‘ବେଆଇନ’ ଓ ‘ମନମୁଖୀ’ ଏବଂ ଦ୍ୱିତୀୟ ଥର ବିଲ୍ ଉପସ୍ଥାପନ ହେବା ପରେ ସେ ଦସ୍ତଖତ କରିବା ଉଚିତ ଥିଲା। ଆମେ କେବଳ ଆଇନ ବିଷୟରେ ମତ ପ୍ରକାଶ କରିବୁ ଏବଂ ତାମିଲନାଡୁ ମାମଲା ଉପରେ କୌଣସି ନିଷ୍ପତ୍ତି ନେବୁ ନାହିଁ ବୋଲି କୋର୍ଟ ରେଫରେନ୍ସ ଉପରେ ପ୍ରାଥମିକ ଆପତ୍ତିର ଉତ୍ତରରେ କହିଛନ୍ତି। ଆମେ ଏକ ପରାମର୍ଶଦାତା ଭୂମିକାରେ ଅଛୁ... ଆମେ ଆପିଲେଟରେ ନାହୁଁ। ଧାରା ୧୪୩ (ଯାହା ରାଷ୍ଟ୍ରପତିଙ୍କୁ ଜନଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟରେ ସୁପ୍ରିମ୍କୋର୍ଟଙ୍କ ସହ ପରାମର୍ଶ କରିବାର କ୍ଷମତା ପ୍ରଦାନ କରେ) ଅନୁଯାୟୀ ଆମେ ଏକ ମତାମତ ଦେଇପାରିବୁ... କିନ୍ତୁ ଏହି ରାୟକୁ ଖାରଜ କରିପାରିବୁ ନାହିଁ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି।
ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ପିଏସ୍ ନରସିଂହ ଏବଂ ଜଷ୍ଟିସ ଏ ଚାନ୍ଦୁରକରଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳ (କେରଳ ପକ୍ଷରୁ) ଏବଂ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି (ତାମିଲନାଡୁ ପକ୍ଷରୁ)ଙ୍କ ପ୍ରାଥମିକ ଆପତ୍ତିର ଶୁଣାଣି ଆରମ୍ଭ କରିଛନ୍ତି। ସେମାନେ ଯୁକ୍ତି ବାଢ଼ିଥିଲେ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରେଫରେନ୍ସରେ ଉଠାଯାଇଥିବା ୧୪ଟି ପ୍ରଶ୍ନର ଯଥେଷ୍ଟ ଓ ସିଧାସଳଖ ଉତ୍ତର ତାମିଲନାଡୁ ମାମଲାରେ ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟ ଦ୍ୱାରା ମିଳିଥିଲା। ସେମାନେ ଯୁକ୍ତି ବାଢ଼ିଥିଲେ ଯେ ରାଷ୍ଟ୍ରପତି ପୂର୍ବରୁ ସ୍ଥିର ହୋଇଥିବା ପ୍ରସଙ୍ଗଗୁଡ଼ିକର ପୁନର୍ବିଚାର ପାଇଁ ଧାରା ୧୪୩ ଅନୁଯାୟୀ ପରାମର୍ଶଦାତା ଅଧିକାର ପ୍ରୟୋଗ କରିପାରିବେ ନାହିଁ। ସୁପ୍ରିମ୍କୋର୍ଟର ଯେକୌଣସି ଖଣ୍ଡପୀଠଙ୍କ ଦ୍ୱାରା ଲିଖିତ ରାୟ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ବେଣୁଗୋପାଳ ଆହୁରି ଯୁକ୍ତି ବାଢ଼ିଥିଲେ ଯେ ରାଷ୍ଟ୍ରପତିଙ୍କ ରେଫରେନ୍ସ ବାସ୍ତବରେ କେନ୍ଦ୍ର ସରକାରଙ୍କ ଏକ ପଦକ୍ଷେପ, କାରଣ ରାଷ୍ଟ୍ରପତି ମନ୍ତ୍ରିପରିଷଦର ‘ସହାୟତା ଓ ପରାମର୍ଶ’ ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ। ସମୀକ୍ଷା ଦାଖଲ ନ କରି ଏକ ରାୟକୁ ବାଧାପ୍ରାପ୍ତ କରିବା ପାଇଁ ଭାରତ ସରକାରଙ୍କ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।
ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି କହିଛନ୍ତି ଯେ ସେ ତାମିଲନାଡୁ ମାମଲାକୁ ନେଇ ଏକ ବୃହତ୍ ଖଣ୍ଡପୀଠ ପାଇଁ ଆବେଦନ କରିଥିଲେ। ଉଭୟ ସେ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ ଅଦାଲତ ବାସ୍ତବରେ ଧାରା ୧୪୩ ମାମଲାରେ ପୂର୍ବ ରାୟର ପୁନର୍ବିଚାର କିମ୍ବା ପରିବର୍ତ୍ତନ କରିପାରିବେ। ମେହେଟ୍ଟା ପୂର୍ବରୁ ଯୁକ୍ତି ଉପସ୍ଥାପନ କରିଥିବା ପ୍ରତିବନ୍ଧକକୁ ‘ଆତ୍ମ-ନିୟନ୍ତ୍ରିତ ପ୍ରତିବନ୍ଧକ’ ବୋଲି ବର୍ଣ୍ଣନା କରିଥିଲେ, କାରଣ ପୂର୍ବ ରାୟକୁ ଖାରଜ କରିବାର କ୍ଷମତା ସୁପ୍ରିମ୍କୋର୍ଟଙ୍କ ପାଖରେ ଅଛି ଏବଂ ଏହା କୌଣସି ଆପିଲେଟ୍ କ୍ଷମତାର ଅଂଶ ନୁହେଁ।