କୋଲକାତା: ‘ତତ୍କାଳ ତିନି ତଲାକ୍’କୁ ଅସାମ୍ବିଧାନିକ ଘୋଷଣା କରିବାର ୭ ମାସ ପରେ ସୁପ୍ରିମକୋର୍ଟ ଆଜି ମୁସଲିମ୍ ଧର୍ମରେ ପ୍ରଚଳିତ ‘ବହୁବିବାହ’ ଏବଂ ‘ନିକାହ ହଲାଲା’ ପ୍ରଥାର ସାମ୍ବିଧାନିକ ବୈଧତା ପରୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି। କୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାର ଏବଂ ଆଇନ କମିସନ୍ଙ୍କ ମତାମତ ଲୋଡ଼ିଛନ୍ତି। ମୁସଲିମ ଧର୍ମରେ ପ୍ରଚଳିତ ଏହି ଦୁଇଟି ପ୍ରଥାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ କିଛି ଆବେଦନର ଶୁଣାଣି କରି ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍ ଖାନ୍ଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ଦୁଇଟି ପ୍ରସଙ୍ଗର ଶୁଣାଣି ଏକ ପାଞ୍ଚଜଣିଆ ବୃହତ୍ ଖଣ୍ଡପୀଠ କରିବେ ବୋଲି ସ୍ପଷ୍ଟ କରିିଛନ୍ତି।
ଉଲ୍ଳେଖଯୋଗ୍ୟ, ୨୦୧୭ ମସିହାରେ ସୁପ୍ରିମ୍ କୋର୍ଟ ତତ୍କାଳ ତିନି ତଲାକ୍କୁ ଅସାମ୍ବିଧାନିକ ଘୋଷଣା କରିଥିବା ବେଳେ ସେ ସମୟରେ ‘ବହୁବିବାହ’ ଏବଂ ‘ନିକାହ ହଲାଲା’ ପରି ଦୁଇଟି ପ୍ରଥାକୁ ହଟାଇବା ପାଇଁ ଆଗତ ଅନେକ ଆବେଦନର ଶୁଣାଣି କରିବାକୁ ଅଦାଲତ ମନା କରିଦେଇଥିଲେ। ଉଲ୍ଳେଖଯୋଗ୍ୟ, ମୁସଲିମ୍ ଧର୍ମରେ ପ୍ରଚଳିତ ‘ବହୁବବିାହ’ ପ୍ରଥା ଅନୁଯାୟୀ, ଜଣେ ପୁରୁଷ ଏକାଧିକ ପତ୍ନୀ ରଖିପାରିବେ ଏବଂ ‘ନିକାହ ହଲାଲା’ ପଦ୍ଧତିରେ ଜଣେ ମହିଳା ଛାଡ଼ପତ୍ର ପାଇଲା ପରେ ମଧ୍ୟ ପୂର୍ବ ସ୍ୱାମୀଙ୍କୁ ପୁଣି ବିବାହ କରିପାରିବେ। ତେବେ ଏଥିପାଇଁ ସେ ପ୍ରଥମେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରି ତାଙ୍କୁ ଛାଡ଼ପତ୍ର ଦେବାକୁ ପଡ଼ିବ ଏବଂ ତା’ପରେ ହିଁ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ। ଏହି ଦୁଇଟି ପ୍ରଥା ସମାନତାର ଅଧିକାରକୁ ଉଲ୍ଳଂଘନ କରୁଛି ଏବଂ ଏହା ମହିଳାଙ୍କ ବିରୋଧରେ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ଏହା ବିରୋଧରେ ଅନେକ ଆବେଦନ ମଧ୍ୟରୁ ଅଦାଲତ ୩ଟିର ଶୁଶାଣି କରିଛନ୍ତି।
ସୁପ୍ରିମ୍ କୋର୍ଟ ପରଖିବେ ସାମ୍ବିଧାନିକ ବୈଧତା:ଏବେ ବହୁବିବାହ, ନିକାହ ହଲାଲା
କେନ୍ଦ୍ର ଏବଂ ଆଇନ କମିସନଙ୍କ ମତାମତ ଲୋଡ଼ିଲେ