ଇତିଶ୍ରୀ ହତ୍ୟାକାରୀକୁ ପାଇଲାନି ସିବିଆଇ

ସୁପ୍ରିମକୋର୍ଟରେ ମାମଲା ବନ୍ଦ

ସିବିଆଇ ରିପୋର୍ଟ ଆଧାରରେ ନିଷ୍ପତ୍ତି ନେଲେ କୋର୍ଟ
ଟ୍ରାଏଲ୍‌ କୋର୍ଟରେ ନେତ୍ରାନନ୍ଦଙ୍କ ବିରୋଧରେ ମାମଲା ଜାରି ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର : ବହୁଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଡୋରି ବନ୍ଧାଯାଇଛି। ସିବିଆଇ ରିପୋର୍ଟ ଆଧାରରେ ମାମଲା ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ କୋର୍ଟର ବିଚାରପତି ରଂଜନ ଗୋଗୋଇ ଓ ବିଚାରପତି ବି.ଭାନୁମତିକାର ଖଣ୍ଡପୀଠରେ ସିବିଆଇ ପକ୍ଷରୁ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଅଜ୍ଞାତ ହତ୍ୟାକାରୀଙ୍କ ସୁରାକ୍‌ ମିଳି ପାରିନଥିବାର ସେଥିରେ ଉଲ୍ଲେଖ କରାଯାଇଥିଲା। ଯେହେତୁ ମାମଲାର ତଦନ୍ତ ଶେଷ ହୋଇଯାଇଛି ଓ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇଛି, ଏଣୁ ସୁପ୍ରିମ କୋର୍ଟରେ ଏହି ମାମଲାକୁ ବନ୍ଦ କରିବା ପାଇଁ ସିବିଆଇ ପକ୍ଷରୁ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା।

ମାମଲାକୁ ବନ୍ଦ କରିବା ଆଦେଶ ଜାରି କରିବା ପୂର୍ବରୁ ଆବେଦନକାରୀ ସୁଦୀପ୍ତା ଲେଙ୍କାଙ୍କର ଓକିଲ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କୁ ସିବିଆଇର ଚୂଡ଼ାନ୍ତ ରିପୋର୍ଟ ପରିପ୍ରେକ୍ଷୀରେ ଖଣ୍ଡପୀଠଙ୍କ ନିକଟରେ ମତ ରଖିବା ପାଇଁ ଅନୁମତି ଦେଇଥିଲେ। ଶ୍ରୀ ତ୍ରିପାଠୀ ଖଣ୍ଡପୀଠଙ୍କ ନିକଟରେ ଏହି ମାମଲାରେ ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଚୂଡ଼ାନ୍ତ ରିପୋର୍ଟରେ ଅଜ୍ଞାତ ହତ୍ୟାକାରୀ ସଂପର୍କରେ ସୁରାକ୍‌ ପାଇବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହେବା ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି ବୋଲି କହିଥିଲେ । ସେ କହିଥିଲେ, ସିବିଆଇ ତାହାର ଚୂଡ଼ାନ୍ତ ରିପୋର୍ଟରେ ମାମଲାର ତଦନ୍ତ ପାଇଁ ସମସ୍ତ ପ୍ରକାର ପ୍ରୟାସ, ଉଦ୍ୟମ କରାଯାଇଥିବା ବୋଲି କହୁଥିବାବେଳେ ତଦନ୍ତ ପାଇଁ ସବ୍‌-ଇନ୍‌ସପେକ୍ଟର ପାହ୍ୟାର ଅଧିକାରୀ ଛଅ ମାସରେ ଥରେ ତଦନ୍ତ ପାଇଁ ଗସ୍ତ କରୁଥିଲେ । ତଦନ୍ତକୁ ‘ଲଜିକାଲ କନକ୍ଲୁଜନ୍‌’ରେ ପହଞ୍ଚାଇବା ପାଇଁ ସିବିଆଇ କୌଣସି ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପାଇଁ ନିୟୋଜିତ କରୁ ତଥା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ମନିଟରିଂ ଦାୟିତ୍ୱ ପାଇଁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ବିଚାର କରୁ ବୋଲି ଶ୍ରୀ ତ୍ରିପାଠୀ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଆବେଦନକାରୀଙ୍କ ଓକିଲଙ୍କ ଦ୍ୱାରା ଯେଉଁ ସବୁ ପ୍ରସଙ୍ଗ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଗଲା, ସେ ନେଇ ଖଣ୍ଡପୀଠ କୌଣସି ପ୍ରକାର ମନ୍ତବ୍ୟ କିମ୍ବା ଟିିପ୍ପଣୀ ଦେଇନଥିଲେ । ଖଣ୍ଡପୀଠ ନିଜର ଚୂଡ଼ାନ୍ତ ଆଦେଶରେ କହିଥିଲେ, ସିବିଆଇକୁ ତଦନ୍ତ ଶେଷ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରାଯାଇଥିଲା। ସିବିଆଇ ଦ୍ୱାରା ୫ଟି ଷ୍ଟାଟସ୍‌ ରିପୋର୍ଟ ସହିତ ଗୋଟିଏ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇଛି। ସିବିଆଇର ସମସ୍ତ ରିପୋର୍ଟକୁ କୋର୍ଟ ଗ୍ରହଣ କରିବା ସହିତ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ବିରୋଧରେ ଟ୍ରାଏଲ କୋର୍ଟରେ ମାମଲା ଜାରି ରହିବ ବୋଲି ଖଣ୍ଡପୀଠ କହିଥିଲେ ।

ଉଲ୍ଲେଖଯୋଗ୍ୟ, ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅଭିଯୋଗକାରୀ ସୁଦୀପ୍ତା ଲେଙ୍କାଙ୍କ ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ୨୦ ଜାନୁଆରୀ ୨୦୧୫ରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୧୩ ଅକ୍ଟୋବର ୨୭ ତାରିଖରେ ସଂଘଟିତ ଇତିଶ୍ରୀ ପ୍ରାଧାନ ହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତଦନ୍ତ ପାଇଁ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନିକ ତଦନ୍ତ ଜାରି ରହିଥିବାରୁ ସୁପ୍ରିମ କୋର୍ଟ ୨୦୧୪ ମାର୍ଚ୍ଚ ୨ରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର