୧୨ଟି ହାଇକୋର୍ଟ ପାଇଁ ସୁପାରିସ କରାଯାଇଥିବା ୬୮ ବିଚାରପତିଙ୍କ ତାଲିକାରେ ଓଡ଼ିଶା ହାଇକୋର୍ଟ ନାହିଁ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୨୫ଟି ହାଇକୋର୍ଟରେ ବର୍ତ୍ତମାନ ୪୬୫ ବିଚାରପତି ପଦ ଖାଲି ପଡ଼ିଛି। ଖାଲି ପଡ଼ିରହିଥିବା ପଦଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ କଲିଜିୟମ୍‌ ଏଥର ଦେଶର ୧୨ଟି ହାଇକୋର୍ଟ ପାଇଁ  ବିଚାରପତି ନିଯୁକ୍ତି ଲାଗି ରେକର୍ଡସଂଖ୍ୟକ ୬୮ଜଣଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।

ଆହ୍ଲାବାଦ, ରାଜସ୍ଥାନ, କୋଲ୍‌କାତା, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ମାଡ୍ରାସ, ମଧ୍ୟପ୍ରଦେଶ, କର୍ଣ୍ଣାଟକ,ପଞ୍ଜାବ ଓ ହରିୟାଣା, କେରଳ, ଛତିଶଗଡ଼ ଓ ଗୌହାଟି ହାଇକୋର୍ଟ ନିମନ୍ତେ ବିଚାରପତି ନିଯୁକ୍ତି ପାଇଁ କରାଯାଇଥିବା ନାମ ସୁପାରିସ ତାଲିକାରେ ଓଡ଼ିଶା ହାଇକୋର୍ଟକୁ ଅନ୍ତର୍ଭୁକ୍ତ କରାଯାଇନାହିଁ।

ଓଡ଼ିଶା ହାଇକୋର୍ଟରେ ସମ୍ପ୍ରତି ୧୪ଟି ବିଚାରପତି ପଦ ଖାଲି ପଡିଛି। ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୨୭ ହୋଇଥିଲା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୩ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟ କଲିଜିୟମ୍‌ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଚଳିତ ବର୍ଷ ମାର୍ଚ-ଏପ୍ରିଲରେ ୫ଜଣଙ୍କ ନାମ ସୁପାରିସ କରିଥିଲା । ସୁପ୍ରିମ୍‌ କୋର୍ଟ କଲିଜିୟମ୍‌କୁ ହାଇକୋର୍ଟ କଲିଜିୟମ୍‌ଦ୍ବାରା ସୁପାରିସ କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ଜଣ ଆଇନଜୀବୀ ଏବଂ ୨ଜଣ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀଙ୍କ ନାମ ରହିଥିଲା। ତେବେ, ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧, ୨୦୨୧ ମଧ୍ୟରେ ବସିଥିବା ବୈଠକରେ ସୁପ୍ରିମକୋର୍ଟ କଲିଜିୟମ୍‌ ହାଇକୋର୍ଟ କଲିଜିୟମର ଏହି ସୁପାରିସକୁ କେତେ ଦୂର ବିଚାର କରିଛନ୍ତି, ସେ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ।

Image Courtesy of LiveLaw

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ହାଇକୋର୍ଟ ବିଚାରପତି ପଦ ପାଇଁ ନାମ ସୁପାରିସ କରିବାକୁ ପ୍ରଧାନ ବିଚାରପତିଙ୍କ ସହ ଦୁଇଜଣ ବରିଷ୍ଠ ବିଚାରପତିଙ୍କୁ ନେଇ କଲିଜିୟମ୍‌ ଗଠନ ହୋଇଥାଏ। କଲିଜିୟମ୍‌ ପ୍ରସ୍ତାବିତ ନାମକୁ ନେଇ ଆଲୋଚନା ହେବା ପରେ ସହମତି ଆଧାରରେ ନାମ ସୁପାରିସ କରାଯାଇଥାଏ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଓ ୪ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲିଜିୟମ୍‌ ଏହି ପ୍ରସଙ୍ଗରେ ଆଲୋଚନା କରି ନାମ ଅନୁମୋଦନ କରିଥାନ୍ତି ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାଏ। ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ. ଭି.ରମନା,  ବିଚାରପତି ୟୁ. ୟୁ. ଲଳିତ ଓ ବିଚାରପତି ଏ. ଏମ୍‌. ଖାନୱିଲ୍‌କରଙ୍କୁ ନେଇ କଲିଜିୟମ୍‌ ଗଠିତ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯୋଗ୍ୟତା, ବୃତ୍ତିଗତ ରୋଜଗାର, ଆୟ ଆଦି ମାପଦଣ୍ଡ ସୂଚକକୁ ଆଧାରକରି ସୁପାରିସ କରାଯାଇଥିବା ନାମଗୁଡ଼ିକୁ ପ୍ରେରଣ କରାଯାଇଛି ନା ନାହିଁ, ସେକଥା ମଧ୍ୟ ସୁପ୍ରିମକୋର୍ଟ କଲିଜିୟମ୍‌ ତର୍ଜମା କରିଥାନ୍ତି।

ହାଇକୋର୍ଟ ବିଚାରପତି ନିଯୁକ୍ତି ଏକ ଜଟିଳ ଓ  ସମୟସାପେକ୍ଷ ପ୍ରକ୍ରିୟା ହୋଇଥିବା ବେଳେ ଆଗକୁ ଓଡ଼ିଶା ହାଇକୋର୍ଟକୁ ସୁପାରିସ କରାଯାଇଥିବା ନାମରୁ କେତେ ଜଣ ବିଚାରପତି ମିଳିବେ ତାହା ବର୍ତ୍ତମାନ ଅନୁମାନ କରିବା କଷ୍ଟ। ୨୦୨୦ରେ ହାଇକୋର୍ଟ କଲିଜିୟମ୍‌ କୌଣସି ନାମ ସୁପାରିସ  କରି ନ ଥିବା ବେଳେ ଏଥର ୫ ଜଣଙ୍କ ନାମ ସୁପାରିସ କରିଛି। ସେହିଭଳି, ହାଇକୋର୍ଟ କଲିଜିୟମ୍‌ ୨୦୧୯ ମେ’ରେ ୧୨ଜଣଙ୍କ ନାମ ବିଚାରପତି ପଦ ପାଇଁ ସୁପାରିସ କରିଥିଲା। ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ ୨୦୧୯ ଅକ୍ଟୋବର ୪ ରୁ ୨୦୨୦ ଜାନୁଆରି ୨୨ ମଧ୍ୟରେ ବିଚାରପତି ପଦରେ ନିଯୁକ୍ତି ଲାଗି ତିନିଜଣଙ୍କ ନାମକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। କିଛି ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ତିନି ବିଚାରପତିଙ୍କର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।

ଅପରପକ୍ଷେ, ଦେଶର ବିଭିନ୍ନ ହାଇକୋର୍ଟମାନଙ୍କରେ ଖାଲି ପଡ଼ି ରହିଥିବା ବିଚାରପତି ପଦ ପୂରଣ ପାଇଁ  ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀମାନଙ୍କ ନାମ ଚୟନ କରିବା ପାଇଁ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ସାତଜଣିଆ ସର୍ଚ କମିଟି ଗଠନ କରିଥିଲେ। ଏହି କମିଟି ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ୪୩ଜଣ ଆଇନଜୀବୀମାନଙ୍କର ନାମ ଚୟନ କରି ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ୍‌କୁ ସୁପାରିସ କରିଥିଲା। ୪୩ଜଣ ଆଇନଜୀବୀଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ନାମ ସାମିଲ ଥିଲା। ହେଲେ, ବିଚାରପତି ପଦ ପାଇଁ ନାମ ସୁପାରିସ କରିବାକୁ ନେଇ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ପ୍ରଚଳିତ ଜଜ୍ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ନ ଥିବା ବେଳେ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ର ସୁପାରିସକୁ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ କିଭଳି ବିଚାର କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର