ନୂଆଦିଲ୍ଲୀ: ସଙ୍ଗୀନ୍‌ ଅପରାଧରେ ସଂପୃକ୍ତ ଥିବା ବହୁବଳୀ ତଥା ଦାଗୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ନ ଦେବା ପାଇଁ ଦାବି କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ୍‌)କୁ ବିଚାର ପାଇଁ ଗ୍ରହଣ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ମନା କରି ଦେଇଛନ୍ତି।

Advertisment

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପାଇଁ ଆଉ ପ୍ରାୟ ଏକ ମାସ ବାକିଥିବା ବେଳେ ଅଶ୍ୱିନୀ ଉପାଧ୍ୟାୟ ନାମକ ଜଣେ ଆଇନଜୀବୀ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଗତ କରିଥିଲେ। ଆଗତ ମାମଲାରେ ସେ ସଙ୍ଗୀନ୍‌ ଅପରାଧରେ ସଂପୃକ୍ତ ଥିବା ବହୁବଳୀ ତଥା ଦାଗୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ନ ଦେବା ପାଇଁ ଦେଶର ରାଜନୈତିକ ଦଳଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। ଏଥିସହ ଯଦି କୌଣସି ରାଜନୈତିକ ଦଳ ଏପ୍ରକାରର ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଥିବା ନଜର ଆସେ ତେବେ ସଂପୃକ୍ତ ରାଜନୈତିକ ଦଳର ସ୍ୱୀକୃତି ସହ ନିର୍ବାଚନ ଚିହ୍ନକୁ ମଧ୍ୟ ପ୍ରତ୍ୟାହାର କରି ନେବାକୁ ଆଗତ ଆବେଦନରେ ଦାବି କରିଥିଲେ।

publive-image

ତେବେ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ ଆଜି ଏ ମାମଲାକୁ ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଦେବା ସହ ଏସଂପର୍କରେ ସିଧାସଳଖ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବାକୁ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କୁ ପରାମର୍ଶ ଦେଇଛନ୍ତି।