୬ ମାସରେ ଟୁ-ଜି ମାମଲାର ତଦନ୍ତ ଶେଷ କର : ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଟୁଜି ମାମଲାର ତଦନ୍ତ ଚାଲିଥିବାରୁ ସୁପ୍ରିମକୋର୍ଟ ସେନେଇ ବିରକ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଟୁଜି ଓ ତାହା ସହ ସମ୍ପର୍କିତ ସବୁ ମାମଲାର ତଦନ୍ତ ସାରିବାକୁ କୋର୍ଟ ସିବିଆଇ ଓ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଆସନ୍ତା ୨ ସପ୍ତାହମଧ୍ୟରେ ଟୁଜି ଓ ସଂପର୍କିତ ମାମଲାଗୁଡ଼ିକର ତଦନ୍ତ ସଂପର୍କରେ ଏକ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ର ଓ ନବୀନ ସିହ୍ନାଙ୍କୁ ନେଇ ଗଠିତ  ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ତଦନ୍ତ ବିଗତ ଅନେକ ବର୍ଷ ଧରି ଚାଲିଛି । ଏପରି ଏକ ସଂବେଦନଶୀଳ ମାମଲାରେ ଦେଶର ଜନସାଧାରଣଙ୍କୁ ଅନ୍ଧାରରେ ରଖିହେବ ନାହିଁ । ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଏହି ତଦନ୍ତ କାହିଁକି ଶେଷ ହୋଇପାରୁନାହିଁ । ଅନ୍ୟପକ୍ଷରେ ତୁଷାର ମେହେଟାଙ୍କୁ ଏହି ମାମଲାରେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କୋର୍ଟ ମଂଜୁରୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨୦୧୦ରେ ଟୁଜି ମାମଲା ସାମନାକୁ ଆସିବାପରେ ତାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ଓ ସରକାର ମଧ୍ୟ ଦୋହଲି ଯାଇଥିଲା ।  ସିଏଜି ତାଙ୍କ ୨୦୧୦ ବର୍ଷର ରିପୋର୍ଟରେ ଦର୍ଶାଇଥିଲେ ଯେ ୧୨୨ଟି ଟୁ-ଜି ସ୍ପେକ୍ଟ୍ରମ୍ ଲାଇସେନ୍ସକୁ ଯଥାର୍ଥ ନିଲାମ ପ୍ରକ୍ରିୟା ବିନା ଶାଗ ମାଛ ଦରରେ ଟେଲିକମ୍ ଅପରେଟରଙ୍କୁ ଆବଣ୍ଟନ କରାଯାଇଛି। ଫଳରେ ସରକାରଙ୍କର ୧.୭୬ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଏହା ସ୍ୱାଭାବିକ ଭାବେ ସ୍ପେକ୍ଟ୍ରମ୍ ଆବଣ୍ଟନର ଅନୁଚିତ ଅନୁଗ୍ରହ ପ୍ରଦର୍ଶନ ଓ ମୋଟା ଅଙ୍କର ଲାଞ୍ଚ କାରବାର ପ୍ରତି ଇଙ୍ଗିତ କରିଥିଲା। ଫଳରେ ସିଏଜିଙ୍କ ରିପୋର୍ଟ ଉପରେ ଅଧିକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଇଥିଲା। ପ୍ରାରମ୍ଭିକ ତଦନ୍ତ ପରେ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଆଧାରରେ ସିବିଆଇ ତତ୍କାଳୀନ ମନ୍ତ୍ରୀ ଏ. ରାଜା, ସାଂସଦ କାନିମୋଝୀଙ୍କ ସମେତ ଅନ୍ୟମାନଙ୍କୁ ଅଭିଯୁକ୍ତ ଭାବେ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର