ସାବରିମାଲା ମନ୍ଦିରରେ ପ୍ରବେଶ କରିଥିବା ଦୁଇ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଜାନୁଆରି ୨ ତାରିଖ ଦିନ ସାବରିମାଲା ମନ୍ଦିର ମଧ୍ୟକୁ ପ୍ରବେଶ କରି ପୂଜାର୍ଚ୍ଚନା କରିଥିବା ୨ଜଣ ୫୦ ବର୍ଷରୁ କମ୍‌ ବୟସ୍କା ମହିଳାଙ୍କୁ ଯଥୋଚିତ ସୁରକ୍ଷା ଯୋଗାଇ ଦେବାକୁ କେରଳ ସରକାରଙ୍କୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ମନ୍ଦିର ପ୍ରବେଶ କରିବା ପରେ ଧମକ ପାଉଥିବାରୁ କନକ ଦୁର୍ଗା ଏବଂ ବିନ୍ଦୁ ଆମ୍ମାନି ନାମ୍ନା ସେ ଦୁଇ ମହିଳା ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ନିମନ୍ତେ ଆବେଦନ କରିଥିଲେ।

କନକ ଦୁର୍ଗାଙ୍କୁ ତାଙ୍କ ଶାଶୂ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ମନ୍ଦିରରୁ ଫେରିବା ପରେ ଶାଶୂ ତାଙ୍କୁ ବାଡ଼ିରେ ପିଟିଥିଲେ ବୋଲି ସେ ଥାନାରେ ଏତଲା ଦେଇଥିଲେ।

ଉଭୟ ମହିଳାଙ୍କ ଘର କେରଳର କନ୍ନୁର ଜିଲ୍ଲାରେ। ମନ୍ଦିରକୁ ଯିବା ପାଇଁ ପର୍ବତାରୋହଣ କରିବା ବାଟରେ ନୀଲିମାଲା ଠାରେ ପ୍ରତିବାଦକାରୀମାନେ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ‘ଇରୁମୁଡିକେଟ୍ଟୁ’ ଧରିଥିଲେ ବୋଲି ପ୍ରତିବାଦକାରୀମାନେ ଦେଖିଥିଲେ।

ଏହା ପରେ ଦୁହେଁ ଅନଶନରେ ବସି କହିଥିଲେ କି, ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାକୁ ସେମାନଙ୍କୁ ଅନୁମତି ମିଳୁ।

ସମ୍ବନ୍ଧିତ ଖବର