ମହାରାଷ୍ଟ୍ର ସରକାର, ଅନୀଲ ଦେଶମୁଖଙ୍କୁ ବଡ଼ ଧକ୍କା ; ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟଙ୍କ ସବୁଜ ସଂକେତ

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାର ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଏକ ବଡ଼ ଧକ୍କା ଲାଗିଛି । ଅନୀଲଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ସିବିଆଇକୁ ଦିଆଯିବାକୁ ନେଇ ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।

ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାର ଗୁରତ୍ବକୁ ଦୃଷ୍ଟିରେ ରଖି ଏକ ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ କରାଯିବା ଆବଶ୍ୟକ । ଏ ସମ୍ପର୍କରେ ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ଆମେ ଚାହୁଁନାହୁଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ହାଇକୋର୍ଟ କେବଳ ଏକ ପ୍ରାରମ୍ଭିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ତାହାର ତଦନ୍ତ କରାଗଲେ କିଛି ଭୁଲ ହୋଇଯିବ ନାହିଁ ।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ଅନୀଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ମାସକୁ ୧୦୦ କୋଟି ଯୋଗାଡ଼ ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନୀଲ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ସେ ନିଜ ଅଭିଯୋଗରେ କହିଥିଲେ ।

ନିଜର ରାୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଓ ଜି.ଏସ.କୁଲକର୍ଣ୍ଣୀ କହିଥିଲେ ଯେ ଏହା ଏକ ଅସାଧାରଣ ମାମଲା । ଅନୀଲ ଦେଶମୁଖ ରାଜ୍ୟର ଗୃହମନ୍ତ୍ରୀ ଓ ସେ ପୁଲିସ ବିଭାଗର ମୁଖ୍ୟ । ଏଣୁ ଏହାର ନିରପେକ୍ଷା ତଦନ୍ତ ହେବା ଆବଶ୍ୟକ । ତେବେ ସିବିଆଇ ତୁରନ୍ତ ଏକ ଏଫଆଇଆର ଦାୟର କରିବାର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର